Unknown

 

 

 

 

 

 

 

 

 

 

ଏସିଆର ନିଦ୍ରିତା ରାଜକନ୍ୟା

ଶ୍ରୀ ମନମୋହନ ମିଶ୍ର

 

ଭୂମିକା

 

ମନେହୁଏ "ଏସିଆର ନିଦ୍ରିତା ରାଜକନ୍ୟା" ବର୍ତ୍ତମାନ ନିଦରୁ ଉଠିଛି ।

 

ମୁଁ ଯେତେବେଳେ ତା’ର ବିରସ ଏବଂ କରୁଣ ମୁଖ ଦେଖିଥିଲି ତାହା ଗଲାବର୍ଷ ଜୁନ୍ ମାସ । ଏହାର ପରେ ପରେ ରାଜକନ୍ୟା ଶତାବ୍ଦୀର ନିଦ୍ରାରୁ ଜାଗ୍ରତ ହୋଇଛନ୍ତି ।

 

ଏହି ଜାଗରଣରେ ସୋଭିଏତ୍‍ ଦେଶର ଦୁଇଜଣ ମହାନ୍ ମନ୍ତ୍ରୀ ଯାତ୍ରୀଙ୍କର ଭୂମିକା ସାମାନ୍ୟ ନୁହେଁ ।

 

ମାର୍ଶାଲ ବୁଲଗାନିନ ଏବଂ ଶ୍ରୀଯୁକ୍ତ କୄଶେଭଙ୍କର କାବୁଲ ଭ୍ରମଣ ପରେ ଆଫଗାନିସ୍ଥାନରେ ଡାକ୍ତରଖାନା ତିଆରି ହୋଇଛି । ଦେଶସାରା ବସ୍ ସର୍ଭିସ ଏବଂ ଯାତାୟାତ ରାସ୍ତାର ଯୋଜନା ନିଆଯାଇଛି ।

 

ଚେକୋସ୍ମଭାକିଆରୁ ବହୁ ଓଜନ ଯନ୍ତ୍ରପାତି ସୋଭିଏତ୍‍ ସୀମାନ୍ତ ପର୍ଯ୍ୟନ୍ତ ରେଳଗାଡ଼ିରେ ଆସି ଅତଟ ଗିରିସଙ୍କଟ ଉପରେ ଓଜନଦାର ଟ୍ରକରେ ବୁହାହୋଇ ଆଫଗାନିସ୍ଥାନରେ ପ୍ରବେଶ କରିଛି ।

 

ତେଣୁ ଭବିଷ୍ୟତରେ ଆଫଗାନିସ୍ଥାନ କଥା ଲେଖିଲାବେଳେ ତାକୁ କେହି 'ହତଭାଗିନୀ' ବା 'ନିଦ୍ରିତା' ବୋଲି ଲେଖିବାକୁ ସାହସ କରିବ ନାହିଁ ।

 

ତେଣୁ ମୋର ଏହି କବିତ୍ୱପୂର୍ଣ୍ଣ ଶିରୋନାମାର ପଛେ ମୃତ୍ୟୁ ହେଉ ତଥାପି ଏସିଆର ଏହି ପୁରାଣ ଗାନ୍ଧାର ଦେଶ ଜାଗ୍ରତ ଓ ମହୀୟାନ୍ ହେଉ ଏହା ମୁଁ ନିଜେ କାମନା କରୁଛି ।

 

ଲେଖକ

***

 

ଏକ

 

ଉଡ଼ାଜାହାଜ ଛୁଟିଥାଏ । ଘଣ୍ଟାକେ ଶହେ ଅଶି ମାଇଲ । କେତେ ପଛରେ ଭାତର ସୀମାନ୍ତ ଆମେ ଛାଡ଼ି ଆସିଥାଉଁ । ଅମୃତସର ବିମାନଘାଟିରେ ଆମର ଛାଡ଼ପତ୍ର ଶେଷଥର ପାଇଁ ଚେକ୍ ହୋଇ ସାରିଥାଏ । ଲାହୋର ଉପରେ ଉଡ଼ାଜାହାଜ ପହଞ୍ଚିବାଯାଏଁ ମୋର ସଙ୍ଗୀମାନେ ଅପେକ୍ଷା କରିଥାନ୍ତି । ତାଙ୍କ ଭିତରୁ ଅନେକେ ଲାହୋରର ବାସିନ୍ଦା ଥିଲେ । ଆଜିକୁ ଦଶଟା ବର୍ଷ ତଳେ ଏହି ଲାହୋର ଥିଲା ଭାରତର ଲଲାଟଭୂଷଣ । ଏହି ଲାହୋରରେ ମୋର ସଙ୍ଗୀଙ୍କ ଭିତରୁ ଦୁଇଜଣ ଜନ୍ମ ହୋଇଥିଲେ । ଆପଣାର ଜନ୍ମଭୂମିକୁ ଚାହିଁ ସେମାନେ ଆଖିରୁ ଅଶ୍ରୁ ଢାଳିଲେ ।

 

ଲାହୋର ଅତି ସୁନ୍ଦର ସହର । ଆକାଶରୁ ଦେଖାଯାଉଥାଏ ତାହା ଗୋଟିଏ ବର୍ଗକ୍ଷେତ୍ର ପରି । ପଞ୍ଜାବର ପଞ୍ଚନଦୀର ଧାର ଭିତରେ ଏହି ଶୁକ୍ଳ ଐରାବତକୁ ସେଦିନ ଆକାଶରୁ ଅନାଇଁ ଦେଲି ।

 

ଉପରେ ଆମରି ଉଡ଼ାଜାହାଜର ବିଘୋଷିତ ଗର୍ଜନ, ତଳେ ଚାହିଁଲି ଶୁଷ୍କ ଟାଙ୍ଗର ଭୂମି । ଗେରୁଆ ପାହାଡ଼ ଏବଂ ଗେରୁଆ ପାହାଡ଼ ତଳେ ଗୋଟାଏ ଗଭୀର ଉପତ୍ୟକା ଏବଂ ତା’ ପରେ ପାହାଡ଼ ।

 

ଉଡ଼ାଜାହାଜର ପରିଚର୍ଯ୍ୟାକାରୀ ଟିକିଏ କଫି ଏବଂ କେତେଖଣ୍ଡ ବିସ୍କୁଟ ଆଣି ମୋ ପାଖରେ ଛିଡ଼ା ହେଲେ । ଗୋଟିଏ ସଙ୍ଗୀ ଛଡ଼ା ଅନ୍ୟ ସମସ୍ତେ ଶୋଇପଡ଼ିଛନ୍ତି । ମୋତେ କଫିର ଶ୍ୱେତ ପ୍ଲାଷ୍ଟିକ୍ କପ୍ ବଢ଼ାଇ ଦେଇସାରି ଖଣ୍ଡିଏ କାଗଜ ଦେଲେ ।

 

କାଗଜଟି ହେଉଛି ଉଡ଼ାଜାହାଜର ବୁଲେଟିନ୍ । ସେଥିରେ ଲେଖା ହୋଇଥିଲା, "ଏହି ମୁହୂର୍ତ୍ତରେ ଆମ୍ଭେମାନେ ତେରହଜାର ଆଠଶହ ଫୁଟ୍ ତାଖ୍‍ତି ସୁଲେମାନ ପାହାଡ଼କୁ ପାରିହେଉଛୁଁ-। ଆମର ଉଡ଼ାଜାହାଜ ଘଣ୍ଟାରେ ଏକଶତ ଅଶି ମାଇଲ୍ ଗତିରେ ଛୁଟିଛି । ବାଁପଟେ ଆମର ତାଖ୍‍ତି ସୁଲେମାନ । ପାଗ ଅତି ଚମତ୍କାର ରହିଛି ।"

 

ଉଡ଼ାଜାହାଜର କାଚବାଡ଼ଦିଆ ଝରକା ତଳକୁ ଚାହିଁଲି । ତଳେ ଖାଲି ଗେରୁଆ ପାହାଡ଼-। ପାହାଡ଼ ଉପରେ ପାହାଡ଼ର ପାହାଚ–ଯେପରି କୌଣସି ବିରାଟ ରାକ୍ଷସ ସ୍ୱର୍ଗକୁ ଯିବାକୁ ବାଟ ତିଆରି କରିଛି । ଗୋଟାଏ ପାହାଚ ଉଡ଼ାଜାହାଜ ଚଢ଼ି ଉପରକୁ ଉଠିଲେ ଆଉ ଗୋଟାଏ ପାହାଚ ପଡ଼େ । କିଛି କାଳପରେ ଗୋଟାଏ ପାହାଡ଼ର ବନ୍ଦୀଶାଳା ଭିତରେ ଏକ କ୍ଳାନ୍ତ ପକ୍ଷିଣୀପରି ଆମରି ଉଡ଼ାଜାହାଜ ଗୁମରିବାକୁ ଲାଗିଲା । ତଳେ ଯେଉଁଠି ପାହାଡ଼ର ପାହାଚକୁ ଆରପାହାଡ଼ ଛାଡ଼ିଛି ସେଇଠି ବହିଯାଇଛି ଗୋଟିଏ ନଦୀ କିନ୍ତୁ ତାହା ପାଣିର ନଦୀ ନୁହେଁ, ଗେରୁଆ ଗେଙ୍ଗୁଟିର ନଦୀ । କେଉଁ ଶୀତଦିନ ପରେ ହୁଏତ ଏଇଠି କେତେବେଳେ ଜଳର ପ୍ରଖର କ୍ଷୁରଧାର ବହିଥିବ । କିନ୍ତୁ ଆଜି ସବୁ ଶୁଖିଯାଇଛି ।

 

କେଉଁଠି ହେଲେ ଟିକିଏ ଶ୍ୟାମଳିମା ଥାଆନ୍ତା, ଥାଆନ୍ତା ଟିକିଏ ହେଲେ ଶୁଭ୍ରତା ! କେଉଁଠି ହେଲେ ଖଣ୍ଡିଏ ମନୁଷ୍ୟର ଆବାସ ଥାଆନ୍ତା ! ପକ୍ଷୀର କାକଳି କେଉଁଠି ଶୁଭୁଥାଆନ୍ତା ! ସବୁ ନିଶ୍ଚଳ, ଗମ୍ଭୀର ।

 

କିନ୍ତୁ ଉଡ଼ାଜାହାଜରୁ ହୁଏତ ଦିଶୁନଥିବ । ଏଇଠି ହୁଏତ କେଉଁଠି କାଠରେ ଶିଉଳି ଲାଗିଲାପରି ଶ୍ୟାମଳ ବୃକ୍ଷଲତା ଲାଗି ଯାଇଥିବେ । କେଉଁଠି ହୁଏତ ମରୁପ୍ରାନ୍ତରର ଉଏସିସରେ ଓଟର କାରାଭାନ୍ ଖଜୁରି ଗଛତଳେ ବିଶ୍ରାମ ନେଉଥିବେ ।

 

ତଥାପି ଯେତେ ଦୂରରେ ଥିଲେବି ମାଟି ଆଉ ଆକାଶ ଭିତରେ ଏତେ ସମ୍ପର୍କ ଯେ ତୁମକୁ ନିଶ୍ଚୟ ଜଣାପଡ଼ିବ ତୁମେ ମନୁଷ୍ୟର ବସତିରେ ଆସି ପହଞ୍ଚିବ । ଉଡ଼ାଜାହାଜର ପ୍ରବଳ ଗୁଞ୍ଜନ ଅପେକ୍ଷା ଜନବସତିର ବିପୁଳ ଭାଷା ଯେତେ ଅସ୍ପଷ୍ଟ ହେଲେବି କାନରେ ବାଜିବ । ତଳେ ମଧୁର ଜଳରାଶି ଥିଲେ ତୁମର ଆଖି ନିଶ୍ଚୟ ସେଠାରେ ପଡ଼ିବ । ଯେପରି ଜୀବନ ସହିତ ଜିଅନ୍ତା ଦେହର ରକ୍ତସ୍ରୋତ ଏବଂ ଧମନୀ ସହିତ ଜୀବନର ଗୋଟାଏ ଅକୁହା, ଭାଷାହୀନ ସମ୍ପର୍କ ରହିଛି ।

 

ମୁଁ ନିଦରେ ଶୋଇପଡ଼ିଛି । ହଠାତ୍ ଉଠି ବସିଲି । କେହି ମୋତେ ଉଠାଇ ନାହିଁ ଏଇଟା ନିଶ୍ଚିତ । ମନେହେଲା ଗୋଟାଏ ପରିବର୍ତ୍ତନ କିଛି ହୋଇଛି । ଚାହିଁଲି, ତଳେ ଗୋଟାଏ ପ୍ରକାଣ୍ଡ ଗହ୍ୱର ଯେପରି ପାତାଳ ପର୍ଯ୍ୟନ୍ତ ବାହାରିଯାଇଛି ଏବଂ ଚାରିପଟେ ତାର ଅତଟ ପର୍ବତ । ସବୁ ଗେରୁଆ, ସବୁ ବାଦାମୀ । ଅତଟ ଏପରି ଭୟଙ୍କର ଯେ ପାତାଳରୁ ମର୍ତ୍ତ୍ୟକୁ ଆସିବାଭଳି ସେହି ଗହ୍ୱରରୁ ସେହି ପାହାଡ଼କୁ ଉଠିବା ଏକାବେଳକେ ଅସମ୍ଭବ । ମନୁଷ୍ୟର ପାଦ ଏଇଠି ସୃଷ୍ଟିକାଳୁ ପଡ଼ିଥିବା ସନ୍ଦେହ । ସେହି ଅତଟ ପାହାଡ଼ର ସେପାଖେ ଉଚ୍ଚରେ ଧଳା ଧଳା ଏକମହଲା ଘରପରି ଦେଖାଯାଉଛି । ଦଶଟା ବେଳର ଶୁଭ୍ର ଖରା ତେଜରେ ଝଟକିଉଠୁଛି ସେହି ଧଳା ଧଳା କୋଠା । ମୁଁ ଘଣ୍ଟାକୁ ଚାହିଁଲି । କାବୁଲ ପାଖ ହୋଇ ଆସୁଥିବ ନିଶ୍ଚୟ । ଏହି ଧଳା ଧଳା ଏକମହଲା ଘର ନିଶ୍ଚୟ ଆଫଗାନିସ୍ଥାନର ରାଜଧାନୀ କାବୁଲ ।

 

ଆଖିରୁ ନିଦ ଛାଡ଼ି ନ ଥାଏ । ତେଣୁ ବୋଧହୁଏ ସ୍ଵପ୍ନ ଦେଖୁଥିଲି । ସ୍ଵପ୍ନ ଦେଖୁଥିଲି ପକ୍ଷୀରାଜ ଘୋଡ଼ାରେ ଚଢ଼ି ମୁଁ ଯାଉଛି । ତଳେ ପାତାଳ ଘୋଡ଼ାର ଖୁରା ଚକ୍ରବାଳରେ ଉଡ଼ୁଛି । ଆଉ ସେଇଠି ଦୂରରେ ସେଇ ରାକ୍ଷସୀର ଦୁର୍ଗ ଘରେ ବନ୍ଦୀଶାଳରେ ଅଛି ଗୋଟିଏ ପଞ୍ଜରା । ତାହାରି ଭିତରେ ଶୋଇଛି ଏସିଆର ନିଦ୍ରିତା ରାଜକନ୍ୟା ।

 

ଯଦି ସ୍ଵପ୍ନ ନ ଦେଖୁଥାଆନ୍ତି ତେବେ ହିନ୍ଦୁକୁଶ ପାହାଡ଼ର ତୁଷାରକିରୀଟକୁ ଦେଖି ମୁଁ ସୌଧମାଳାର ସ୍ଵପ୍ନ ଦେଖି ନ ଥାନ୍ତି । କାରଣ ଯେଉଁ ସୌଧମାଳାର ସ୍ଵପ୍ନ ମୁଁ ଦେଖୁଥିଲି, ସେଠାକୁ ଯିବାକୁ, ଚାଲିବାର ବାଟ ନାହିଁ । କେବଳ ଅଛି ଉଡ଼ାଜାହାଜରେ ତା’ର ଉପରକୁ ଅନୁଭବ କରିଯିବାର ଅଧିକାର । ଆଉ ଅଛି ଗୋଟିଏ ଯାନ-ସିଏ ଆପଣାର ମନପବନ ଯାନ । କଳ୍ପନାରେ ତା’ର ରାସ୍ତା ତିଆରି ହୁଏ । ସ୍ଵପ୍ନର ଚଷମା ଆଖିରେ ପିନ୍ଧିବାକୁ ପଡ଼େ...ତେବେ ଏଇଟା ତ କାବୁଲ ନୁହେଁ । କାବୁଲ କାହିଁ ?

 

ପ୍ରାୟ ପନ୍ଦର କୋଡ଼ିଏ ମିନଟ୍ ମୁଁ ଅପଲକନେତ୍ରରେ ଦୂର ଚକ୍ରବାଳକୁ ଚାହିଁଥାଏ । ଆମରି ଧାନଗହୀରରେ ଠିଆହୋଇ ବା ପୁରୀ ସମୁଦ୍ରକୂଳରେ ଅନାଇ ଚକ୍ରବାଳକୁ ଦେଖିଲାପରି ଏ ଚକ୍ରବାଳ ନୁହେଁ । ଏହା ବର୍ତ୍ତମାନ ଗେରୁଆ ମୁଣ୍ଡରେ ଧଳା ପଗଡ଼ିପିନ୍ଧା ପାହାଡ଼ର ପାଚିରି । ବହୁ ଦୂରରେ ସେ ପାହାଡ଼; କିନ୍ତୁ ଯେପରି ଦେଖାଯାଉଥାଏ ହାତ ବଢ଼ାଇଲେ ପାଇବ ।

 

ଉଡ଼ାଜାହାଜ ତଳକୁ ଓହ୍ଲେଇ ଆସିଲା । ତଳେ ଶାଗୁଆ ଗଛଲତା ଦେଖାଗଲାଣି । ବଗିଚା ଆଉ ତା’ଭିତରେ ପାଣିର ନାଳ । ବଡ଼ ବଡ଼ ଦ୍ରୁମସବୁ ଲଙ୍କାମରିଚ ଗଛପରି ଦିଶୁଥାଆନ୍ତି । ପାଣି ଭିତରେ ବୁଡ଼ିରହି ବାହାରର କଥା ଶୁଣିଲେ ଯେପରି ଶୁଭେ ସେପରି ଶୁଭୁଥାଏ ନିଦରୁ ଉଠିଥିବା ସଙ୍ଗୀମାନଙ୍କର କଥାଭାଷା । ଉଡ଼ାଜାହାଜର ଚକ ଭୂମିରେ ଲାଗିଲା ।

 

ପ୍ରଥମ ଉଡ଼ାଜାହାଜ ଚଢ଼ାଳି ପାଇଁ ଏହି ଉଡ଼ାଜାହାଜ ଚକ ଭୂମିରେ ଲାଗିବା ଏକ ଅବିସ୍ମରଣୀୟ ଘଟଣା । ଥରେ ଏହା ମୁଁ ଆଗରୁ ଅମୃତସରଠାରେ ଅନୁଭବ କରିଥିଲି । ଆଉଥରେ କଲି ଏଇଠି । ଏହାପରେ ଉଡ଼ାଜାହାଜ ମୋର ଦେହଘଷା ହୋଇଯାଇଛି । ତେଣୁ ଅନୁଭବ କରିନାହିଁ । ଆଉ ମଧ୍ୟ ଗୋଟିଏ କଥା । କାବୁଲଠାରୁ ସୋଭିଏତ୍‍ ଦେଶର ଉଡ଼ାଜାହାଜରେ ବାକିତକ ଯାତାୟାତ ହୋଇଥିଲା । କେବଳ ଭାରତକୁ ଫେରିଲାବେଳେ ଚେକୋସ୍ଲୋଭାକିଆ ରାଜଧାନୀ ପ୍ରେଗ୍ ସହରଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭାରତର ବିମାନ ଆମକୁ ବୋହି ଆଣିଥିଲା । ସୋଭିଏତ୍‍ ଉଡ଼ାଜାହାଜ ଚାଳକ ଚାଳିକାମାନେ ଆପଣା ଆପଣା ଉଡ଼ାଜାହାଜଟିକୁ ନିଜ ହାତଘଡ଼ି ଭଳି ବା ନିଜର ସନ୍ତାନ ଭଳି ଚଲାନ୍ତି । ତେଣୁ ମାଟି ଛୁଇଁଲାବେଳେ ଉଡ଼ାଜାହାଜକୁ କୌଣସି କଷ୍ଟ ହୁଏ ନାହିଁ ।

 

କିନ୍ତୁ ଏହି ମାଟି ଛୁଇଁବାର ତୀବ୍ର ବେଦନା ଥରେ ଅନୁଭବ କରିବା କଥା । ଉଡ଼ାଜାହାଜ ତଳକୁ ଓହ୍ଲାଇଲାବେଳେ ଯେପରି ମନେହୁଏ ବୁକୁର କଲିଜାରେ କେହି ପିନ୍ କଣ୍ଟା ଫୋଡ଼ି ଦେଉଛି-। ସମସ୍ତ ମସ୍ତିସ୍କ ଅବଶ ହୋଇଆସେ । ଆଖିରେ ଜୁଳୁଜୁଳିଆ ପୋକ ଦେଖାଯାଏ । ଆଉ ସ୍ଥିର ନିଶ୍ଚଳ ଭାବ ଆସିଯାଏ । ତାପରେ ଯେତେବେଳେ ଚକ ତଳେ ଲାଗେ ସେତେବେଳେ ମନେହୁଏ ଗୋଟାଏ ବିଦ୍ୟୁତ ଶଳାକା ଦେହର କୌଣସି ସୂକ୍ଷ୍ମତନ୍ତ୍ରୀରେ ଝଙ୍କାର ତୋଳୁଛି । ସେ ବେଦନା ଅସହ୍ୟ କିନ୍ତୁ ତଥାପି ଆଉଥରେ ସେଭଳି ବେଦନା ଅନୁଭବ କରିବାକୁ ଏବେବି ପ୍ରାଣ ଘାରୁଛି । ମାଟିରେ ପହଂଚିବାକୁ ମନୁଷ୍ୟ ଶିଶୁକୁ ବୋଧହୁଏ ଏଭଳି ବେଦନା ସହିବାକୁ ପଡ଼େ । ଭୂମିଷ୍ଠ ହେଲାବେଳର ପିଲାର ବେଦନା ତ ମନେ ନାହିଁ । ତେଣୁ ଏହି ବେଦନାଟା ଅନୁଭବ କରିବା ଉଚିତ-

***

 

ଦୁଇ

 

ଉଞ୍ଚା ପିଣ୍ଡାରେ ଗୁଡ଼ିଏ ଚଉକି ପଡ଼ିଥାଏ । ଲମ୍ବ ଏକ ସାହାଲା ଏକ ମହଲା ଘର । କାବୁଲ ବିମାନଘାଟି । ତିନି ପାଖରେ ଧଳା ବରଫର ଶିରସ୍ତ୍ରାଣ ପିନ୍ଧି ଛିଡ଼ା ହୋଇଛି ହିନ୍ଦୁକୁଶ ପର୍ବତମାଳା । ତଳେ ଅପ୍ରଶସ୍ତ କାବୁଲ ଉପତ୍ୟକା । ଏଇଠି କାବୁଲ ନଦୀ ବହିଯାଇଛି । ହିନ୍ଦୁକୁଶର ଗଳିତ ତୁଷାର ଯୋଗୁଁ ଏହି ନଦୀରେ ଖରାଦିନେ ପାଣି ଥାଏ । ଶୀତଦିନେ ବରଫ ଶେଯରେ ନଦୀ ଶୋଇଥାଏ । ପୁଣି ଉଠେ ବସନ୍ତ ଆସିଲେ ।

 

ଭାରତଠାରୁ କାବୁଲର ଘଣ୍ଟା ଗୋଟିଏ ଘଣ୍ଟା ପଛରେ । ଆମ୍ଭମାନଙ୍କ ଘଣ୍ଟାରେ ଏଗାରଟା ବାଜିଲାବେଳକୁ କାବୁଲରେ ଦଶଟା ବାଜିଥାଏ । ଆମ୍ଭେମାନେ ଉଡ଼ାଜାହାଜର ସିଡ଼ିରୁ ଓହ୍ଲାଇ କାବୁଲ ବିମାନଘାଟିର ବୈଠକଖାନାରେ ପଶିଲୁ । ଗୋଟିଏ ବେଶ୍ ପ୍ରଶସ୍ତ ଘର । କାନ୍ଥକୁ ଲାଗି ସୋଫା ଏବଂ କୁସନଦିଆ ଚଉକି ଟେବୁଲ ଉପରେ ଅନେକଗୁଡ଼ିଏ ଖବରକାଗଜ ଇଂରାଜୀ, ଫରାସୀ, ରୁଷୀୟ ଏବଂ କେତେଗୁଡ଼ିଏ ବୋଧହୁଏ ପାର୍ସି ଭାଷାରେ ଲେଖା । କାନ୍ଥରେ ଆଫଗାନିସ୍ଥାନ ଶାହାଙ୍କର ଗୋଟିଏ ବଡ଼ ତୈଳଚିତ୍ର ବା ଫଟୋ ( କେଉଁଟା ଠିକ୍ ମନେ ନାହିଁ ) ।

 

ଆଫଗାନିସ୍ଥାନର ବିମାନଘାଟିର କତ୍ତୃପକ୍ଷଙ୍କୁ ଦେଖି ବଡ଼ ବିଚିତ୍ର ବିଚିତ୍ର ଲାଗିଲା । ତାଙ୍କ କଥା ତ ଆମେ ବୁଝି ନ ଥାଉଁ । ସେମାନେ ଖଣ୍ଡି ଖଣ୍ଡି ଇଂରାଜୀ କହୁଥାନ୍ତି । ସମସ୍ତଙ୍କର ମୁହଁ କପାଳଠାରୁ ଚିବୁକ ପର୍ଯ୍ୟନ୍ତ ଲମ୍ବାଳିଆ । ଏ କାନଠାରୁ ସେ କାନ ପର୍ଯ୍ୟନ୍ତ ଓସାର କମ । ମୁହଁରେ ଗୋଟାଏ ବହୁକାଳର ମୁଖା ରହିଲାପରି ମୁଁହଗୁଡ଼ିକ ଦେଖାଯାଏ । ଆଖିଗୁଡ଼ିକ କାବୁଲ ନଦୀର ନୀଳ ପାଣିର ଧାରଭଳି ନୀଳ । ମୁଣ୍ଡରେ ଗୋଟିଏ ଗୋଟିଏ ଟୋପି । ଖପୁରି ଘୋଡ଼େଇବା ଭଳି ଟୋପି ନୁହେଁ-ଯେପରି ଟୋପି ଆମେ ପରେ ସମରକନ୍ଦ ବା ଷ୍ଟାଲିନ୍‍ବାଦରେ ଦେଖିଥିଲୁଁ । ଏ ଟୋପିଗୁଡ଼ିକ ଅନେକାଂଶରେ ଭାରତର ମରହଟ୍ଟାଙ୍କ ଟୋପିପରି । ଅବଶ୍ୟ ସେମାନଙ୍କର ଟୋପି ଅପେକ୍ଷା ଆହୁରି ଗୋଲିଆ, ଆହୁରି ଟାଇଟ୍ । ଦେହରେ ୟୁରୋପୀୟ ପୋଷାକ । କେତେକଙ୍କ ବେକରେ ଟାଇ ଅଛି, ଆଉ କେତେକଙ୍କର ନାହିଁ ।

 

ଏମାନେ କେବେ ହସିବାର ମୁଁ କଳ୍ପନା କରିପାରୁ ନାହିଁ । ଆନନ୍ଦ ପ୍ରକାଶ କଲାବେଳେ ମଧ୍ୟ ଏମାନେ ଖାଲି ଖେଙ୍କି ଦିଅନ୍ତି । ଭଦ୍ରତା, ନମ୍ରତା, ଏବଂ ଅତିଥି ପ୍ରତି ସମ୍ମାନର ଅଭାବ ନାହିଁ । କିନ୍ତୁ କିପରି ଏକ ହୀନତା ବ୍ୟାଧି ଯେପରି ଏମାନଙ୍କୁ ଘୋଟି ରହିଛି । ଯେପରି ଏକ ହତଭାଗ୍ୟ ଦେଶରେ ସେମାନେ ଅଭାବନୀୟ ସୁଯୋଗ ପାଇଛନ୍ତି କିନ୍ତୁ ତାର ଉପଯୋଗ କରିପାରୁ ନାହାନ୍ତି । ଯେପରି ସେମାନଙ୍କର ବୁକୁତଳେ କେଉଁ ପୁରୁଣା ଯୁଗର ଅଭୁଲା ଇତିହାସ ସେମାନେ ସଙ୍ଖାଳି କରି ରଖିଛନ୍ତି । କହି ପାରୁ ନାହାନ୍ତି, ଜିଭ ଅଗରେ ରହିଯାଉଛି; କିନ୍ତୁ ଭୁଲି ପାରୁ ନାହାନ୍ତି । ଯେପରି ସଙ୍କୋଚ ଏବଂ ସମ୍ଭ୍ରମ ସାରା ଦେଶଟାଯାକ ଘୋଟି ଯାଇଛି ।

 

ଆଫଗାନିସ୍ଥାନ ବିଷୟରେ ସେତେବେଳେ ମୋର ଧାରଣା କେବଳ ଭୂଗୋଳ ବହିରୁ । ଆଉ ମୋଗଲ ଅଭିଯାତ୍ରୀଙ୍କର ଇତିହାସରୁ ଇଉରୋପୀୟମାନେ ଆସିବା ପର୍ଯ୍ୟନ୍ତ ଆଫଗାନିସ୍ଥାନ ଭାରତର ମୁଖ୍ୟ ପ୍ରବେଶ ଦ୍ୱାର ଥିଲା । ଏହାରି ଭିତର ଦେଇ ରଣଧାରା ବାହି ଜୟ ଗାନ ଗାଇ ଉନ୍ମାଦ କଳରବ କରି ବହୁ ଅଭିଯାନର ଲହରୀ ‘ଭାରତର ପ୍ରଶାନ୍ତ ସମଭୂମିରେ କମ୍ପନ ସୃଷ୍ଟି କରିଥିଲା ଏବଂ ବହୁକାଳ ପରେ ସେଇଠି ମିଶି ଯାଇଥିଲା ।'

 

କଟକ-ପୁରୀ ରେଳରାସ୍ତାରେ ଜଟଣୀ ଷ୍ଟେସନଠାରେ ଲେଖାହୋଇଛି ଇଂରାଜୀ ଆଉ ଓଡ଼ିଆରେ "କାବୁଲି ଭାରତ ଛାଡ଼" । ଏବେ ମଧ୍ୟ କେହି ରେଳଯାତ୍ରୀ ବଡ଼ ବଡ଼ ଅକ୍ଷରରେ କଳା ଅଙ୍ଗାରରେ ବା ଆଲକାତରାରେ ଲେଖା ସେହି ରଣଧ୍ୱନି ସିଗନାଲର ଉଞ୍ଚା ଘରର ଦେବାଲରେ ଅଥବା ମୁସାଫିରଖାନାର କାନ୍ଥ ବାଡ଼ରେ ଦେଖିବାକୁ ପାଇବେ । ଜଟଣୀରେ କାବୁଲିଙ୍କର କି ଦୌରାତ୍ମ୍ୟ ତାହାର ଇତିହାସ ମୁଁ ଅନୁସନ୍ଧାନ କରିନାହିଁ । ଏଥିପାଇଁ ଓଡ଼ିଶାରେ କୌଣସି ଆନ୍ଦୋଳନ ବା ଚହଳ ପଡ଼ିଥିବା କଥା ମଧ୍ୟ ମନେପଡ଼ୁ ନାହିଁ । ତଥାପି ଅତର୍କିତ ଭାବରେ କାହିଁକି ମୋର ମନେପଡ଼ିଲା "Quit Kabuli–"କାବୁଲି ଭାରତ ଛାଡ଼ "।

 

ଜୁନ୍ ଚାରି ତାରିଖରେ ମୁଁ କଟକ ଛାଡ଼ିଥିଲି । ତାର ତିନିଦିନ ପୂର୍ବରୁ ମୁଁ ଯାଇଥିଲି କେନ୍ଦ୍ରାପଡ଼ା-ଗୋଟାଏ ଶାନ୍ତିସଭାରେ କହିବାକୁ । ସେଦିନ କଟକରେ ଗରମ ବୋଧହୁଏ ସବୁଠାରୁ ବେଶି । ଉତ୍ତାପ ୧୧୪ଡିଗ୍ରୀ ହୋଇଥାଏ । ବାଟରେ ବସ୍‍ରେ ଫେରିଲାବେଳେ ଜଣେ କାବୁଲି ମୋରି ପାଖ ସିଟ୍‍ରେ ବସିଥିଲେ । ମୋଟର ବସ୍‍ରେ ମୋର କୌଣସି ମୁହଁଚିହ୍ନା ବନ୍ଧୁଙ୍କ ସାଙ୍ଗରେ ମୋର ଆସନ୍ନ ବିଦେଶଯାତ୍ରା କଥା ପଡ଼ିଥାଏ । ମୁଁ ସେତେବେଳେ କହିଲି ମୁଁ କାବୁଲ ବାଟରେ ଯାଉଛି ।

 

ଚାନ୍ଦୋଳ ପାରହୋଇ ସାଲେପୁରଆଡ଼କୁ ଆମର ବସ୍ ଝିମେଇ ଝିମେଇ ଚାଲିଥାଏ କମ୍ପ ରୋଗୀ ପରି । କେଉଁଠି ଟିକିଏ ଭଲ ରାସ୍ତା ପଡ଼ିଲେ ଖଣ୍ଡେଦୂର ଖୁବ୍ ଦ୍ରୁତଗତିରେ ଚାଲିଯାଏ-। ତା’ପରେ ପୁଣି ସେହି ସମୁଦ୍ର ଲହଡ଼ି ଭଳି ଏପଟ ସେପଟ ଝୁଲା । ଏଥିରେ ମୋତେ ନିଦ ଲାଗିଗଲା । ଅଜାଣତରେ ମୁଁ ଉକ୍ତ ବିରାଟକାୟ କାବୁଲିଙ୍କର ଦେହରେ ପିଟି ହୋଇଗଲି ।

 

କାବୁଲି ଜଣକ ଯେପରି ଏହି ଓର ଉଣ୍ଡୁଥିଲେ । ମୁଁ ଅତି ସନ୍ତର୍ପଣରେ ତାଙ୍କୁ “ମାଫ୍ କିଜିୟେ” କହି ଗୋଟେଇ ପୋଟେଇ ହୋଇ ବସିଲି । କିନ୍ତୁ ସେ ନଛୋଡ଼ବନ୍ଧା । ମତେ ଖଣ୍ଡିଏ ପାନ ଆପଣା ଡବାରୁ କାଢ଼ିକରି ଦେଲେ । ସେଥିରେ କି ମସଲା ପକେଇଥିଲେ ତାହା ମୋର ଗୋଚର ନାହିଁ । ପାନ ଖଣ୍ଡିକରେ ମୋର ମୁଣ୍ଡ ଏବଂ ଆଖି କାନରେ ଗୋଟାଏ ତୀବ୍ର ଉଷ୍ମତା ଖେଳିଗଲା । ମୁଁ ଚେଙ୍ଗା ହୋଇଗଲି ।

 

ସେ ବୁଝିସାରିଥିଲେ ମୁଁ କାବୁଲ ବାଟରେ ଯାଉଛି । ପକେଟରୁ ଖଣ୍ଡିଏ ପାସପୋର୍ଟ (ଛାଡ଼ପତ୍ର) ବାହାର କଲେ । କାବୁଲର ସରକାରୀ ଦପ୍ତରର ମୋହର ମାରିଛି । ମତେ କହିଲେ, ଯଦି ମୁଁ କାବୁଲ ବାଟରେ ଯାଏ ତେବେ ତାଙ୍କ ଘରକୁ ଯିବି । ତାଙ୍କ ଘର ଇଟାଲୀୟ ଦୂତାବାସ ପାଖରେ । ସେଠାରେ ତାଙ୍କ ବିବି ଏବଂ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ଗୋଟେ ପୁଅ ବିଭା ହୋଇଛି ଏବଂ ତାର ବିବି ମଧ୍ୟ ତାଙ୍କରି ଘରେ ଅଛି । ଏଭଳି କହି ସେ ତାଙ୍କ ପାସପୋର୍ଟରେ ଆଉ କେତେଦିନ ଭାରତରେ ରହିବା ପାଇଁ ତାଙ୍କର ଅଧିକାର ଅଛି ସେ କଥା ଜାଣିବାକୁ ଚାହିଁଲେ । ଆଠମାସ ଆଉ କେତେଦିନ ଅଛି ବୋଲି ମୁଁ ସାସପୋର୍ଟ ଦେଖି କହିଲି ।

 

ପାସପୋର୍ଟରେ ତାଙ୍କ ଠିକଣା ମନେ ମନେ ଦେଖିନେଲି । ସେ ମତେ ତାଙ୍କର ଠିକଣା ଦେବାକୁ ଯାଉଥିଲେ । ମୁଁ ତାଙ୍କୁ କହିଲି ପାସପୋର୍ଟରୁ ମୁଁ ତାହା ଦେଖିନେଇଛି । ସେଥିରେ ତାଙ୍କର ପ୍ରତ୍ୟୟ ହେଲା ଯେ ମୁଁ ନିଷ୍ଠାର ସହିତ ତାଙ୍କର କଥାରେ ହଁ ଭରିଛି । ମୁଁ ତାଙ୍କ ଘରକୁ ନିଶ୍ଚୟ ଯିବି ଏବଂ ଆଠମାସ ପରେ ତାଙ୍କ ସବୁ କାମ ସରିଲେ ସେ ଫେରିବେ ବୋଲି ଘରେ କହିବି ।

 

ସେଦିନ ସେହି ପ୍ରଚଣ୍ଡ ଗ୍ରୀଷ୍ମରେ ଭାଜି ହେଲାବେଳେ ସେହି କାବୁଲି ଦୋସ୍ଥ ମହମ୍ମଦଙ୍କର ନୀଳ ଆଖିରେଖା ତଳେ ଯେଉଁ ହଜିଲା ସଂସାରର ସୁଖସ୍ମୃତି ମୁଁ ଦେଖିବାକୁ ପାଇଲି ତାହା ଏବେ ମଧ୍ୟ ମୋର ମନେପଡ଼ୁଛି । ତାଙ୍କର ମୁହଁ ମନେପଡ଼ୁଛି । ତାଙ୍କର ମୁହଁ ମନେ ନାହିଁ । ଅସ୍ପଷ୍ଟ ଫଟୋରେ ତାଙ୍କୁ ଯେପରି ଦେଖିଥିଲି ତାହା ଝାପ୍‍ସା ଭାବରେ ମୋର ଟିକିଏ ଟିକିଏ ମନର ଗହଣା ଭିତରେ କେତେ କେତେ ବେଳେ ଭାସି ପୁଣି ବୁଡ଼ିଯାଉଛି । କିନ୍ତୁ ଆପଣା ଦେଶର ଆପଣାର ଆତ୍ମୀୟଙ୍କ ପ୍ରତି ମନୁଷ୍ୟର କରୁଣା ବ୍ୟାକୁଳତା ସେଦିନ ସେହି କାବୁଲିଙ୍କର ସ୍ତିମିତ ବାଦାମ ଆକୃତି ଚକ୍ଷୁରେ ଉଦ୍‍ଭାସିତ ହୋଇଥିଲା । ସେହି ବିହଳିତ ଭାବ କେବେ ମନୁଷ୍ୟ ଭୁଲିପାରେ ? ମତେ ମଧ୍ୟ ସେହି କେତେକ ମୁହୂର୍ତ୍ତଯାଏଁ ସେ ଯେପରି ଚାହିଁଲେ ସେଥିରେ ମୋର ମନେହେଲା ମୋରି ମାଧ୍ୟମରେ ସେ ଆପଣାର କଳ୍ପନାକୁ ପ୍ରସାରିତ କରି କାବୁଲ ସହିତ ସଂଯୁକ୍ତ ହୋଇଯାଇଛନ୍ତି । ସେହି ବସ୍‍ର ଘର୍ଘର, ପ୍ରଚଣ୍ଡ ଗ୍ରୀଷ୍ମ ଆଉ ଅସୁସ୍ଥ ଯାତ୍ରୀଦଳର ଖର ନିଶ୍ୱାସ ଭିତରେ ସେ ଏକ ମହାନୁଭବ ମୁହୂର୍ତ୍ତ ପରି ମନେହେଲେ ।

 

ହଠାତ୍ ଅତର୍କିତ ଭାବରେ ମୋର ମନେପଡ଼ିଥିଲା, "କାବୁଲି, ଭାରତ ଛାଡ଼" । ଏହିମାନଙ୍କ ଉଦ୍ଦେଶ୍ୟରେ ଜଟଣୀର କୌଣସି କୌଣସି ଦୁଃସ୍ଥ ଖାତକ ନିଶ୍ଚୟ ପ୍ରାଣର ବେଦନା ପ୍ରକାଶକରି ସେହି ସ୍ଲୋଗାନ କାନ୍ଥରେ ଲେଖିଥିବେ । ବିଶ୍ୱନାଥ ମୁଣ୍ଡିଆ ତଳେ ଜଗଦଳପୁରରେ ହୁଏତ କାହାର ଘରେ ତାର ସ୍ତ୍ରୀ ବାଳକ ଚାହିଁ ବସିଥିବେ ମାସର ଦରମା ପାଇଁ । ଏହି କାବୁଲିଙ୍କର କୌଣସି ସମାନଧର୍ମୀ ନିଶ୍ଚୟ ସେଦିନ ସେହି ଦୁଃସ୍ଥ ରେଳ ଶ୍ରମିକ ଖାତକକୁ ବାଟରେ ଧରି କହିଥିବା, "ଅସଲ ନେହିଁ ମାଂଗତା, ସୁଧ୍ ମାଂଗତା"। ଏପରି ସୁଧ ଶୁଝି ଶୁଝି ସବୁତକ ବରଷ ଶୋଷି ହୋଇଯାଇଥିବ ଏବଂ ହାହାକାର କରିଥିବେ ଘରେ ରୁଗ୍‍ଣା ସ୍ତ୍ରୀ ଆଉ ଭୋକିଲା ବାଳୁତ ।

 

ମୁଁ ଆଉଥରେ ସେହି କାବୁଲିଙ୍କୁ ଚାହିଁଲି । ସେତେବେଳକୁ ତାଙ୍କର ଆଖି ନିଷ୍ପ୍ରଭ । ଗୋଟାଏ ପେନସିଲ ଧରି ଆପଣା ନୋଟ୍ ବହିରେ କୌଣସି ହିସାବରେ ଲାଗିବାକୁ ଯାଉଥିଲେ । ମୋ ଆଖିରେ ତାଙ୍କର ମୁହୂର୍ତ୍ତକର ମହାନୁଭବତା କେଉଁଆଡ଼େ ଉଭେଇ ଯାଇଛି । ସେ ଏକାବେଳକେ ଖର୍ବ ଏବଂ ବିକଳ ହୋଇଯାଇଛନ୍ତି । ତାହା ସେ ଅନୁଭବ କଲାପରି ଯେପରି ଶଙ୍କି ଗଲେ । କେତେ କାଳ ପରେ ସେ ବିଦାୟ ନେଇଗଲେ ତାହା ଆଉ ମନେ ନାହିଁ ।

 

କାବୁଲ ବିମାନ ବନ୍ଦରର ବୈଠକ ଘରେ ମୋର ମନରେ ସେହି ସମସ୍ତ କଥା ଗୋଟି ଗୋଟି ହୋଇ ଭାସିଲା । ମୁଁ ମନେ ମନେ ଅନୁଭବ କରିନେଲି ସେହି କେତେ ସମୟର ସାଥୀ ଆପଣାର ଆଖିର କ୍ୟାମେରାରେ କେଉଁ ଦୃଶ୍ୟ ଦେଖିଥିବେ । ଏହି ତେବେ ସେହି କାବୁଲ । ଏହାକୁ ଛାଡ଼ି ସେ ଭାରତର ଶସ୍ୟଶ୍ୟାମଳା ଯିବାରେ ପ୍ରବେଶ କରିଛନ୍ତି ଏବଂ ଖଣ୍ଡିଏ ନୋଟ୍ ଖାତା ପେନସିଲ ଧରି ଆପଣାର ସୁଧ ଆଦାୟ କରିବାରେ ଲାଗିଛନ୍ତି । ହିନ୍ଦୁକୁଶର ବରଫ ପରି ଅସଲ ଚିରନ୍ତନ ରହିଛି । "ଖାଲି ସୁଧ୍ ମାଂଗତା, ଅସଲ ନେହିଁ ମାଂଗତା" ।

***

 

ତିନି

 

ବିମାନଘାଟିର ବୈଠକଖାନାରେ ସୋଭିଏତ୍‍ ଦୂତାବାସର ପ୍ରଥମ ସେକ୍ରେଟାରୀ ଆସି ପହଞ୍ଚିଲେ । ତାଙ୍କ ପୂର୍ବରୁ ବିମାନରୁ ପାଛୋଟି ଆଣିବା ପାଇଁ ଭାରତୀୟ ଦୂତାବାସର ଜଣେ କର୍ମଚାରୀ ଏବଂ ସୋଭିଏତ୍‍ ଦୂତାବାସର ଆଉ ଜଣେ କର୍ମଚାରୀ ଆସିଥିଲେ । ଭାରତୀୟ ଦୂତାବାସର କର୍ମଚାରୀ ଜଣକ ଭାରତୀୟ ନୁହନ୍ତି । ତେଣୁ ସେ ସାଧାରଣ ଆଫଗାନିସ୍ଥାନ ବ୍ୟକ୍ତିଭଳି ମନେହେଲେ । କିନ୍ତୁ ସୋଭିଏତ୍‍ ଦୂତାବାସର ପ୍ରାୟ ୨୧ବର୍ଷର ନମ୍ର ଏବଂ ଲାଜକୁଳା ଯୁବକ ଜଣକ ଆମ ସାଙ୍ଗରେ ବିମାନ ବନ୍ଦରର ବୈଠକଖାନା ଯାଏ ଆସିଥିଲେ ।

 

ଆମ ଭିତରେ ଶ୍ରୀମତୀ ଲିଟୋ ଘୋଷ ରୁଷୀୟ ଭାଷାରେ ପ୍ରବୀଣା । ତେଣୁ ଆମ୍ଭମାନଙ୍କର ଦୋଭାଷୀର ପ୍ରୟୋଜନ ହେଲା ନାହିଁ । ସୋଭିଏତ୍‍ ଦୂତାବାସର ପ୍ରଥମ ସେକ୍ରେଟାରୀ ଇଂରାଜୀ କହିପାରୁ ନ ଥିଲେ, କିନ୍ତୁ ବୁଝି ପାରୁଥିଲେ । ତାଙ୍କଠାରୁ ଆମର ଯାତ୍ରାର ପରବର୍ତ୍ତୀ ଅଧ୍ୟାୟ ବିଷୟରେ ଶୁଣିବାକୁ ପାଇ ଆଶ୍ୱସ୍ତ ହେଲୁ । ଦିଲ୍ଲୀରୁ ଛାଡ଼ିଲାବେଳେ ଆମ୍ଭେମାନେ ଏକ ଅନିଶ୍ଚିତ ଅବସ୍ଥାରେ ଥିଲୁ । ଏଥିପୂର୍ବରୁ ସମସ୍ତ ଭାରତୀୟ ଶାନ୍ତି ପ୍ରତିନିଧି ଦଳ କାବୁଲ ବାଟରେ ଯିବାର ନିଷ୍ପତ୍ତି ହୋଇଥିଲା । ଆମର ମୋଟ ପ୍ରାୟ ଶହେଜଣ ଭିତରୁ ୭୨ ରୁ ୮୦ ଜଣ ଯାଏଁ କାବୁଲ ବାଟରେ ଯାଇ ସେଠାରୁ ସୋଭିଏତ୍‍ ଉଡ଼ାଜାହାଜ ଯୋଗେ ହେଲସୀଙ୍କି ଯିବାପାଇଁ ଆଗରୁ ପ୍ରସ୍ତାବ ହୋଇଥିଲା । ବାକି ସମସ୍ତେ ମାମୁଲି ଭଡ଼ା ଉଡ଼ାଜାହାଜରେ ୟୁରୋପ ବାଟରେ ଯିବାର ଠିକ୍ କରିଥିଲେ ।

 

କାବୁଲ ବାଟରେ ଯିବାର ବନ୍ଦୋବସ୍ତ ପକ୍କା ହୋଇ ସାରିଥିଲା । ଭାରତୀୟ ଏୟାରଲାଇନ କର୍ପୋରେସନର ଚାରୋଟି ଡାକୋଟା ବିମାନ ଆମକୁ ନେଇ କାବୁଲ ଯିବ । କାରଣ ଅପ୍ରଶସ୍ତ କାବୁଲର ଉଡ଼ାଜାହାଜ ଘାଟିରେ ବଡ଼ ଉଡ଼ାଜାହାଜ ଓହ୍ଲାଇପାରିବ ନାହିଁ । ତେଣୁ ଚାରିଥରରେ ଆମ୍ଭେମାନେ ଯିବାର ବନ୍ଦୋବସ୍ତ ହେଲା ଏବଂ ସେହି ଅନୁସାରେ ସୋଭିଏତ୍‍ ଭୂମିର ଉଡ଼ାଜାହାଜ କାବୁଲଠାରୁ ଆମ୍ଭମାନଙ୍କୁ ଘେନି ସୋଭିଏତ୍‍ ଦେଶ ଉପରେ ହେଲସିଙ୍କି ଯିବାଲାଗି ଆମ୍ଭମାନଙ୍କ ତରଫରୁ ସୋଭିଏତ୍‍ ଶାନ୍ତି କମିଟିକୁ ଅନୁରୋଧ କରାଗଲା । ସେମାନେ ସେହି ଅନୁରୋଧ ରକ୍ଷା କରିଥିଲେ । ଏହି ପ୍ରୋଗ୍ରାମ ଅନୁସାରେ ମଧ୍ୟ ଆମ୍ଭମାନଙ୍କର ପାସପୋର୍ଟରେ ଆଫଗାନିସ୍ଥାନ ଏବଂ ସୋଭିଏତ୍‍ ଦେଶରେ ପ୍ରବେଶାଧିକାର ଅନୁମତି ଚିହ୍ନିତ କରାଇଥିଲୁଁ ।

 

ସାତ ତାରିଖରେ ଆମର ପ୍ରଥମ ଦଳରେ ପ୍ରାୟ ପଚିଶି ଜଣ ଯାତ୍ରୀ ଯିବାର ଥାଏ । ସେମାନଙ୍କର ନାମ ଧାମ ମଧ୍ୟ ସ୍ଥିର ହୋଇଥାଏ । ତା’ପରେ ଆଠ, ନଅ ଏବଂ ଏଗାର ତାରିଖ । ଆମ୍ଭେମାନେ ପ୍ରଥମ ଦଳ ନିର୍ଦ୍ଦିଷ୍ଟ ୬ତାରିଖରେ ଯାଇ ଦିଲ୍ଲୀରେ ପହଞ୍ଚିଥିଲୁ । କିନ୍ତୁ ସେହି ଛଅ ତାରିଖ ସକାଳେ ସମ୍ବାଦ ମିଳିଲା ଯେ ଆଫଗାନିସ୍ଥାନର ପ୍ରଧାନ ସେନାପତିଙ୍କ ଆଦେଶ ଆଫଗାନିସ୍ଥାନରୁ କୌଣସି ପେଟ୍ରୋଲ ବାହାରକୁ ଯାଇପାରିବ ନାହିଁ । ଏହାର ଅର୍ଥ ଆମ୍ଭମାନଙ୍କର ଡାକୋଟା ବିମାନଗୁଡ଼ିକ ଫେରନ୍ତି ପେଟ୍ରୋଲ ଆଫଗାନିସ୍ଥାନରୁ କିଣିପାରିବେ ନାହିଁ । ଆଉ ଡାକୋଟା ବିମାନ ମଧ୍ୟ ଆପଣାର ଯିବା ଆସିବା ପେଟ୍ରୋଲ ଭାରତରୁ ନେବାଲାଗି ତାର ଟାଙ୍କିରେ ଯଥେଷ୍ଟ ସ୍ଥାନ ନାହିଁ । ଏକଥା ମଧ୍ୟ ଜଣାଶୁଣା ଯେ ବିମାନର ଟାଙ୍କି ଛାଡ଼ ଅନ୍ୟ ସ୍ଥାନରେ ପେଟ୍ରୋଲ ଟିଣ ବା ପିମ୍ପାଦ୍ୱାରା ନେବାର ନିୟମ ନାହିଁ । ନେବାରେ ଗୁରୁତର ବିପଦ ଘଟିପାରେ ।

 

ତେଣୁ ଅନିଶ୍ଚିତତା ଭିତରେ ଆଉ ୬ଦିନ କାଳ କାଟିଲାପରେ ଆମ୍ଭେମାନେ ନିଷ୍ପତ୍ତି କଲୁ ଯେ କାବୁଲ ପଥ ତ୍ୟାଗ କରିବାକୁ ହେବ ଏବଂ ୟୁରୋପ ବାଟରେ ଗୋଟିଏ ବଡ଼ ସ୍କାଇମାଷ୍ଟର ଉଡ଼ାଜାହାଜରେ ଷାଠିଏ ଜଣ ପ୍ରତିନିଧି ପ୍ରାଗ୍ ଏବଂ ଆମଷ୍ଟାରଡ଼ାମ ହୋଇ ହେଲସିଙ୍କି ଯିବେ ଏବଂ ଆମେ ଯେଉଁମାନଙ୍କର ଏତେ ପଇସା ଖର୍ଚ୍ଚ କରି ଯିବାର ବଳ ନାହିଁ ସେମାନେ ଦିଲ୍ଲୀରୁ ସାପ୍ତାହିକଠାରେ ଯାଉଥିବା ମାମୁଲି ଉଡ଼ାଜାହାଜ ସର୍ଭିସରେ କାବୁଲ ଯାଇ ସେଠାରେ ଆମର ପରବର୍ତ୍ତୀ ଅଧ୍ୟାୟର ଚେଷ୍ଟା କରିବୁ । ଏଣେ ଆମର କାବୁଲ ବାଟରେ ଯିବା ବିଷୟରେ ସନ୍ଦେହ ଥିବାରୁ ସୋଭିଏତ୍‍ ଭୂମିରୁ ଉଡ଼ାଜାହାଜ ଆସିବା ତ ବନ୍ଦ ହୋଇଥିବ ତେଣୁ ଆମକୁ କେତେଦିନ କାବୁଲରେ ଅପେକ୍ଷା କରିବାକୁ ପଡ଼ିବ କିଏ ଜାଣେ ?

 

ଏଣେ ଦିଲ୍ଲୀ ଉଡ଼ାଜାହାଜ ବନ୍ଦରରେ ଆମ୍ଭେମାନେ ଲେଖିଦେଇ ଅସିଥାଉଁ ଯେ ଆମ୍ଭେମାନେ ଆଫଗାନିସ୍ଥାନରେ ବେଶି ଦିନ ରହିବୁ ନାହିଁ । ଖାଲି ଚଲାବାଟରେ ଚଟିଘରଭଳି ଆମେ କାବୁଲରେ ରହୁଛୁ । କାରଣ ତାହା ନ ଲେଖିଥିଲେ ସେମାନେ ଆମ୍ଭମାନଙ୍କ ସାଙ୍ଗରେ ୫୦ଟଙ୍କାରୁ ବେଶି ଭାରତୀୟ ମୁଦ୍ରା ଛାଡ଼ି ନ ଥାନ୍ତେ । ଅଥଚ ଆମ୍ଭେମାନେ ସାଙ୍ଗରେ ପ୍ରାୟ ସମସ୍ତେ ଭାରତୀୟ ମୁଦ୍ରା ଯେତିକି ନେଇପାରିବାର କଥା ଦୁଇଶହ ସତୁରି ଟଙ୍କା ହେବ ସେତକ ନେଇଥିଲୁ । ଭାରତରୁ ଏତେ ମୁଦ୍ରା ଧରି ଖୋଦ୍ ଆଫଗାନିସ୍ଥାନକୁ ଯିବାର ବିଧି ନୁହେଁ । ଏଭଳି ବିଧି କାହିଁକି ନୁହେଁ, ତାହା ମୋର ପରବର୍ତ୍ତୀ ଅଭିଜ୍ଞତା ବେଳେ କହିବି ।

 

ଦିଲ୍ଲୀ ଛାଡ଼ିବା ପୂର୍ବରୁ ଆମ୍ଭେମାନେ କାବୁଲରେ ଥିବା ସୋଭିଏତ୍‍ ଦୂତାବାସକୁ ଗୋଟିଏ ଟେଲିଗ୍ରାମ କରିଥିଲୁ ଯେ ଆମେ ବାରଜଣ କାବୁଲ ବାଟରେ ଯାଉଛୁ । ତେଣୁ ସୋଭିଏଟ୍‍ର ଉଡ଼ାଜାହାଜ ଆମକୁ ହେଲସିଙ୍କି ଯେପରି ନେଇଯାଆନ୍ତି । କିନ୍ତୁ ଏହି ଟେଲିଗ୍ରାମ ପାଇଁ ସେମାନେ କାର୍ଯ୍ୟକାରୀ ହେବା ପୂର୍ବରୁ ତ ଆମ୍ଭେମାନେ କାବୁଲ ଅଭିମୁଖରେ ବାହାରିଛୁ । ତେଣୁ ଆମ୍ଭମାନଙ୍କ ମନରେ ତିଳେମାତ୍ର ଆଶା ନ ଥିଲା ଯେ ଏତେ ଶୀଘ୍ର ଆମକୁ କାବୁଲ ଛାଡ଼ିଯିବାର ସୁଯୋଗ ମିଳିବ-। କାରଣ ଆମର କାବୁଲ ବାଟରେ ଯିବାର ପ୍ରସ୍ତାବ ଆଗରୁ କଟିଯାଇଛି ବୋଲି ସୋଭିଏତ୍‍ ଶାନ୍ତି କମିଟି ଖବର ପାଇସାରିଥିଲେ । ସେ ଅନୁସାରେ ତାଙ୍କର ପୂର୍ବର ସମସ୍ତ ବନ୍ଦୋବସ୍ତ ବନ୍ଦ କରିଦେଇଥିଲେ ।

 

ସୋଭିଏତ୍ ଦୂତାବାସର ପ୍ରଥମ ସେକ୍ରେଟାରୀ କହିଲେ ଆମ୍ଭମାନଙ୍କର ଟେଲିଗ୍ରାମ ପାଇ ସେ ତାସକନ୍ଦରୁ ଖବର ପାଇଛନ୍ତି ଯେ ଗୋଟିଏ ଉଡ଼ାଜାହାଜ ସେଠାରୁ କାବୁଲ ଅଭିମୁଖରେ ବାହାରିସାରିଛି ଏବଂ ଦୁଇଘଣ୍ଟା ଭିତରେ କାବୁଲରେ ପହଞ୍ଚିବ । ତେଣୁ ଆମ୍ଭେମାନେ ତାହା ପରଦିନ ଅର୍ଥାତ ଜୁନ, ୧୫ ତାରିଖରେ ସକାଳ ଆଠଟାବେଳେ କାବୁଲ ଛାଡ଼ି ଚାଲିଯିବୁ । ଆମ୍ଭେମାନେ ଏତକ ଶୁଣି ରଙ୍କନିଧି ପାଇଲାପରି ମନେକଲୁ । କାରଣ କାବୁଲଠାରେ ଅନିଶ୍ଚିତ ଅବସ୍ଥାରେ ପଡ଼ିରହିବା ଆମକୁ ନିଶ୍ଚୟ ବାଧିଥାଆନ୍ତା ।

 

ତା ପରେ ଶାହାଙ୍କର ଫଟୋ ଆଡ଼େ ଦେଖାଇ ସେ କହିଲେ, "ଏଠାରେ ଏହି ଶାହା ହେଉଛନ୍ତି ବର୍ତ୍ତମାନ ରାଜା" । ଏଠାରେ, କୌଣସି ରାଜନୈତିକ ଦଳ ନାହାନ୍ତି । ବିଭିନ୍ନ ପାହାଡ଼ିଆ ଜିର୍ଗା ବା ଗୋଷ୍ଠୀମାନଙ୍କର ମୁଖ୍ୟଙ୍କର ସଭା ବୋଲି ଗୋଟିଏ ପରାମର୍ଶଦାତା କମିଟି ଅଛି । ଆଉ ଏହି ଜିର୍ଗାର ଲୋକେ ନିର୍ବାଚନ କରି ଏହି ପରାମର୍ଶଦାତା କମିଟିକୁ ଆପଣାର ପ୍ରତିନିଧି ପଠାନ୍ତି । ମନ୍ତ୍ରୀମାନେ ମହାମହିମ ରାଜାଙ୍କ ପାଖରେ ରାଜ୍ୟଶାସନ ପାଇଁ ଦାୟୀ । ଆଗେ ତିନୋଟି ମନ୍ତ୍ରୀ ସବୁ କାମ ଚଳାଉଥିଲେ । ଏବେ ଶାସନ ଆହୁରି ଗଣତାନ୍ତ୍ରିକ ହୋଇଛି । ପାଞ୍ଚଜଣ ମନ୍ତ୍ରୀ କାମ ଚଳାଉଛନ୍ତି ।

 

ସୋଭିଏଟ୍ ଦେଶର କୂଟନୈତିକ ପ୍ରତିନିଧି । ରାଜଦୂତଙ୍କ ତଳେ ଏହାଙ୍କର ଆସନ । ପୃଥିବୀର ଯେ କୌଣସି ଦେଶରେ ଜାଣେ ସହକାରୀ ମନ୍ତ୍ରୀଙ୍କର ଆସନ ସଙ୍ଗେ ଏହି ଆସନ ସମାନ । ଅଥଚ ତାଙ୍କର ଅମାୟିକ ନମ୍ରତା, ସରଳ ସରସ କଥାଭାଷା ଆମକୁ କିଣିନେଲା । ବେଶ୍ ହୃଷ୍ଟପୃଷ୍ଟ ଚେହେରା । ବିଶାଳ ଉନ୍ନତ ବକ୍ଷରେ କେତୋଟି ସୋଭିଏତ୍‍ ପଦକ ଝୁଲୁଥାଏ । ମୁଖରେ ହସ ହସ ଭାବ, ଉନ୍ନତ ନାସା । ସେ ଆଫଗାନିସ୍ଥାନ ବିଷୟ କହୁଥିଲାବେଳେ କାହାରିଆଡ଼କୁ କଟାକ୍ଷ ନାହିଁ । ଅଥଚ ଆଫଗାନିସ୍ଥାନ ପ୍ରତି ତାଙ୍କର ମମତା ଏବଂ ସୌହାର୍ଦ୍ୟ ଝରି ପଡ଼ୁଥାଏ । ସତ୍ୟନିଷ୍ଠ ଭାବରେ ଏଭଳି ମଧୁର ପ୍ରିୟ କଥା କ୍ଵଚିତ ଶୁଣିବାକୁ ମିଳେ ।

 

ପୃଥିବୀରେ କୂଟନୀତି ପାଇଁ ବିଲାତର ବେଶ୍ ପ୍ରଶଂସା ଅଛି । ବିଲାତ କୂଟନୀତିର ପରାକାଷ୍ଠା ହେଉଛି । ମଧ୍ୟପ୍ରାଚ୍ୟ, ଯେଉଁଠି ଲରେନ୍‍ସ ସାହେବ ଆରବ ଦେଶମାନଙ୍କ ଭିତରେ ନିଜେ ସେଠା ଲୋକ ହିସାବରେ ମିଶି ଯାଇଥିଲେ । ଇତିହାସରେ ତାହାର ପ୍ରମାଣ ରହିଛି । କିନ୍ତୁ ଏହି ସୋଭିଏତ୍‍ କୂଟନୀତିକ କୂଟନୀତି ଶିଖିବାକୁ କୌଣସି ତାଲିମ ନେଲାପରି ଜଣାପଡ଼ୁ ନାହିଁ । ମନେହେଉଥାଏ ଏହା କୂଟନୀତି ନୁହେଁ, ଏହାହିଁ ସୋଭିଏତ୍‍ ସଂସ୍କୃତି । ପରେ ସୋଭିଏତ୍‍ ଦେଶର ନରନାରୀଙ୍କୁ ଦେଖିଲା ପରେ ଏହି ଧାରଣା ଦୃଢ଼ ହେଲା ଯେ ବିଦେଶୀ ଜାତିପ୍ରତି ସମ୍ମାନ, ପ୍ରେମ ଏବଂ ସହୃଦୟତା ସୋଭିଏତ୍‍ ଜାତିମାନଙ୍କର ଅସ୍ଥି ମଜ୍ଜାଗତ । ବିଦେଶୀ ଜାତି ପ୍ରତି ଆକ୍ଷେପ ନାହିଁ, କଟାକ୍ଷ ନାହିଁ, ତାର ଜୀବନ ବିଷୟରେ କୌଣସି ହସ୍ତକ୍ଷେପର ଚିନ୍ତା ନାହିଁ; ଅଥଚ ସେମାନଙ୍କର ପ୍ରଗତି ପ୍ରତି ଗଭୀର ସହାନୁଭୂତି ଏବଂ ଐକାନ୍ତିକ ଆଗ୍ରହ ।

 

କିନ୍ତୁ ସରଳ କଥାରେ କହିଲେ ଆଫଗାନିସ୍ଥାନ କଣ ? ତାହା ଆଫଗାନ ଯୁବକ ଇଞ୍ଜିନିଅର ୱାଲି ମହମ୍ମଦଙ୍କଠାରୁ ଶୁଣିଥିଲି । ସେହି ସୁଦର୍ଶନ, ସକାଳ ସବୁଜ ନୀଳ ଆଖି ଏବଂ ତେଜୀୟାନ ଯୁବକ ଆଫଗାନିସ୍ଥାନର-ଆଧୁନିକ ନୁହେଁ ଆଧୁନିକ ପ୍ରତିମୂର୍ତ୍ତି । ସେହି ଯୁବକ ମୋତେ କହିଥିଲେ, "ଆଫଗାନିସ୍ଥାନ ଏସିଆର ହତଭାଗିନୀ କନ୍ୟା" । ଏତକ କହିଲାବେଳେ ସେ ମୁଣ୍ଡକୁ ତଳକୁ ପୋତିଦେଇଥିଲେ । ବ୍ୟଥାର କରୁଣତା ତାଙ୍କର ଚକ୍ଷୁତଟରେ ଭାସି ଉଠିଥିଲା ।

***

 

ଚାରି

 

ଭାରତୀୟ ଦୂତାବାସର ତିନିଗୋଟି ଗାଡ଼ିରେ ଆମେ କାବୁଲ ହୋଟେଲଆଡ଼େ ଚାଲିଲୁ-। ବାଟରେ ଦୁଇପଟେ ଛୋଟ ଛୋଟ ଶସ୍ୟକ୍ଷେତ୍ର ଆଉ ମାଟିର ଘର । ମାଟି କାନ୍ଥ, ମାଟି ଛାତ, ମାଟିର ମେଜିଆ । କେତେ ଘର ଭାଙ୍ଗି ପଡ଼ିଛି । କେଉଁଠି ଇଟାର ପାଚେରି ବେଢ଼ା ବଡ଼ ବଡ଼ ବଗିଚା । ରାସ୍ତା କଡ଼ରେ ଦୁଇପଟେ ପାଣିର ଯୋଡ଼ିଏ ଧାରା ବୋହିଯାଉଛି । ପାଣି ବେଶି ଅସଫା ନୁହେଁ । ସମରକନ୍ଦ, ତାସକନ୍ଦ ଏବଂ ଷ୍ଟାଲିନ୍‍ବାଦରେ ଏପରି ପାଣିର ଧାରା ଆମ୍ଭେମାନେ ପରେ ଦେଖିଥିଲୁଁ । ମଧ୍ୟ ଏସିଆର ଶୁଷ୍କ ମାଟିରେ ଜଳସେଚନ ଦ୍ୱାରା ଫସଲ କରିବା ବହୁକାଳରୁ ଚଳି ଆସିଛି । ଏହି ଦୁଇଟି ଜଳଧାର ସେହି ଜଳସେଚନ ଉଦ୍ଦେଶ୍ୟରେ ତିଆରି । ସମସ୍ତ କାବୁଲରେ ରାସ୍ତାର ଦୁଇକଡ଼ରେ ଏପରି ଜଳଧାରା ଆମ୍ଭେମାନେ ଦେଖିବାକୁ ପାଇଥିଲୁ । ଏଥିରୁ ଲୋକେ ଦରକାରବେଳେ ପାଣି ପିଅନ୍ତି ଏବଂ ଏଥିରୁ ପାଣିନେଇ ନମାଜ ପଢ଼ନ୍ତି ଆଉ ନମାଜ ପଢ଼ିବା ପୂର୍ବରୁ ଗୋଡ଼ ହାତ ଧୋଇ ଶୌଚ ହୁଅନ୍ତି । ଏହି ପାଣିର ଧାରା କାବୁଲ ନଦୀରୁ କଟାହୋଇ ନିଶ୍ଚୟ ଆସିଛି ଏବଂ ତା’ପରେ ସହରକୁ ବେଢ଼ି ଶସ୍ୟମାଳା କରିଛି ।

 

କାବୁଲର ରାସ୍ତାଗୁଡ଼ିକ ଆମ୍ଭମାନଙ୍କ କଟକ ସହରର ରାସ୍ତାଭଳି ଏତିକି ଓସାର । ରାସ୍ତାକୁ ଦୁଇଭାଗ କରି ଇଲେକ୍ଟ୍ରିକ ଏବଂ ଟେଲିଫୋନ ଖୁଣ୍ଟି । ୟୁରୋପ ପରି ଏଠାରେ ଡାହାଣ ପାଖକୁ ମାଡ଼ି ଗାଡ଼ିଗୁଡ଼ିକ ଯାଏ । ଭାରତ ବା ବିଲାତ ପରି ବାଁ ପାଖକୁ ନୁହେଁ । ଅଥଚ ରାସ୍ତାର ସଂକେତଗୁଡ଼ିକ ଇଂରାଜୀ ଭାଷାରେ ଲେଖା । ଆମେରିକା ଚଳଣିର ଛାପ ଏଠାରେ ଅନେକ କଥାରେ ସୁସ୍ପଷ୍ଟ । ସମସ୍ତ ଆଫଗାନିସ୍ତାନରେ ରେଳ ଲାଇନ ନାହିଁ । କେବଳ ମୋଟର ରାସ୍ତା କାବୁଲରୁ କାନ୍ଦାହାର ଏବଂ ଆଉ କେତୋଟି ମରୁଦ୍ଵୀପ ଭଳି ସହରକୁ ପଡ଼ିଛି । ସହର ଭିତରେ ଗୋଟିଏ ବସ୍ ସର୍ଭିସ ଅଛି । ପନ୍ଦର ଖଣ୍ଡ ଯାଏଁ ଟାକ୍ସି ରହିଛି । ଆଉ ପ୍ରାୟ ଚାଳିଶି ପଚାଶ ଖଣ୍ଡ ଏକ ଘୋଡ଼ିଆ ଗାଡ଼ି–ଦିଲ୍ଲୀ ସହରର ଟାଙ୍ଗା ଭଳି । ଏହି ଟାଙ୍ଗା ହିଁ ମଧ୍ୟବିତ୍ତ କାବୁଲିର ଯିବା ଆସିବାର ପ୍ରଧାନ ଯାନ । ସହର ଲୋକସଂଖ୍ୟା ଏକ ଲକ୍ଷରୁ ବେଶି ନୁହେଁ । ଅନେକ କାଳହେଲା ଜନ ସୁମାରି ହୋଇ ନାହିଁ; ତେଣୁ ଠିକ୍‍ ଭାବରେ ଜାଣିବାର ଉପାୟ ନାହିଁ ଆଫଗାନିସ୍ଥାନର ଲୋକସଂଖ୍ୟା କେତେ ହେବ ।

 

କାବୁଲ ହୋଟେଲ ନିକଟରେ ଘରଗୁଡ଼ିକ କୋଠାଘର । କୋଠା ଛାତ ସମତଳ ନୁହେଁ-। ବରଫ ଗାଡ଼ି ଯିବାପାଇଁ ଉପରଟା ନୁଆଁଣିଆ ଏବଂ ଅଧିକାଂଶ ଦୁଇମହଲା ବା ତିନିମହଲା କୋଠା ଉପରେ ମଧ୍ୟ ଟିଣ ବା କରୋଗେଟେଡ଼ ସିଟର୍ ଆଚ୍ଛାଦନ । ହୋଟେଲ ନିକଟରେ ଗୋଟିଏ ସିନେମା ଘର ଦେଖିବାକୁ ପାଇଲୁ । ଏଥିରେ ଅଧିକାଂଶ ଭାରତୀୟ ଆଉ ପାକିସ୍ତାନର ହିନ୍ଦୀ ବା ଉର୍ଦ୍ଦୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୁଏ । କାବୁଲରେ କୌଣସି ଚଳଚ୍ଚିତ୍ର ଶିଳ୍ପ ନାହିଁ । ଏପର୍ଯ୍ୟନ୍ତ ଆଫଗାନିସ୍ତାନର ନିଜସ୍ୱ ଗୋଟିଏ ଫିଲ୍ମ ବାହାରି ନାହିଁ । ପାକିସ୍ତାନ ସହ ଝଗଡ଼ା ହେବାଦିନୁ ପାକିସ୍ତାନର ଚଳଚ୍ଚିତ୍ର ଆସିବା ବନ୍ଦ ଅଛି । ଆମେ କାବୁଲରେ ଥିଲାବେଳେ ପାକିସ୍ତାନ ସହିତ ଆଫଗାନିସ୍ଥାନର ଝଗଡ଼ା ଚରମକୁ ଉଠିଥିଲା । ଏବେ ଖବର କାଗଜରୁ ପଢ଼ୁଥାଇଁ ଯେ ଉଭୟଙ୍କ ଭିତରେ ଗୋଟିଏ ମିଳାମିଶା ରାଜିନାମା ହୋଇଯାଇଛି । ପେଶାବାରରେ ଆଫଗାନିସ୍ତାନର ପତାକା ଆଫଗାନ ଦୂତାବାସ ଉପରେ ଡାକ୍ତର ଖାଁ ସାହେବ ଉଡ଼ାଇଛନ୍ତି ଏବଂ ପାକିସ୍ତାନ ଦୂତାବାସ ଉପରେ କାବୁଲରେ ପୁଣି ପାକିସ୍ତାନ ପତାକା ଉଡ଼ିଛି ।

 

ବାଟରେ ଆଫଗାନିସ୍ଥାନର ଅମିରଙ୍କ ଉଆସ ପଡ଼ିଲା । ଗୋଟିଏ ବିସ୍ତୃତ ହତା ଭିତରେ ଉଆସଟି । ଆୟତାକାର ହତାରେ ବଡ଼ ବଡ଼ ଗଛ ବା ଦୁଇପାଖରେ ତରୁଶ୍ରେଣୀ ନାହାନ୍ତି । ଜଳସେଚନ କରି ଗୁଡ଼ିଏ ଫୁଲଗଛ ଲଗାଯାଇଛି । ହତାଟି ଏତେ ବଡ଼ ଯେ ତାହା ଭିତରେ ରାଜାଙ୍କ ଉଆସ ଗୋଟିଏ ବଗିଚାଘର ଭଳି ଦିଶୁଥାଏ । ଏକ ମହଲା ଘର । ଗୋଟିଏ ବିରାଟ ଲମ୍ବା ସାହାଲା ଗୋଟାଏ ବଡ଼ ପୋଲିସ ଷ୍ଟେସନପରି ଦେଖାଯାଏ । କାବୁଲର ସମ୍ଭ୍ରାନ୍ତ ଘରଭଳି ତାହାଉପରେ ଟିଣଛାତ ରହିଛିୁ । କୋଠାର ପଛପଟେ ହୁଏତ ଦୁଇମହଲା ଘରଥିବ । କିନ୍ତୁ ଦୂରକୁ ତାହା ଦୁଇମହଲା ପରି ଦିଶେ ନାହିଁ । ଏତେ ଅଳ୍ପ ଉଞ୍ଚା ।

 

ବିମାନବନ୍ଦରଠାରୁ ଦିନ ଦଶଟାବେଳେ ରାଜାଙ୍କର ଉଆସ ପର୍ଯ୍ୟନ୍ତ ଗଲାବେଳେ ରାସ୍ତାରେ ସେପରି ଜନମାନବର ଗହଳି ଦେଖିବାକୁ ପାଇଲୁ ନାହିଁ । କେବଳ ଶସ୍ୟକ୍ଷେତ୍ର ଭିତରେ କାମ କରୁଥିବା କେତେକ ଚାଷୀଙ୍କୁ ଦେଖିଥିଲୁଁ । ଗୋଡ଼ର ପାଇଜାମାକୁ ଉପରକୁ ଖୋସିଦେଇ ଦେହରେ ଖଣ୍ଡେ ଖଣ୍ଡେ ଫଟେଇ ଗଳେଇ ଏମାନେ କାମ କରନ୍ତି । ଆମର ଗାଡ଼ିଗୁଡ଼ିକ ଦେଖି ସେମାନଙ୍କ ଭିତରୁ କେତେକ ନିର୍ବିକାର ଭାବରେ ରାସ୍ତା କଡ଼ରେ ଛିଡ଼ା ହୋଇ ଚାହିଁଲେ । ଭାରତୀୟ ବା ପାକିସ୍ତାନୀ ଲୋକ ଏ ଅଞ୍ଚଳରେ ଅପରିଚିତ ନୁହଁନ୍ତି ।

 

ରାଜାଙ୍କର ଉଆସ ପାର ହେଲାପରେ କାବୁଲ ରାସ୍ତା ଟିକିଏ ଜନଗହଳ ପରି ଜଣାପଡ଼ିଲା । ଚମଡ଼ାରେ ତିଆରି- ଆଉ ଦେହରେ ଗୋଟାଏ ଗୋଟାଏ ଜ୍ୟାକେଟ୍ । ଜ୍ୟାକେଟ୍‍ର ହାତ କଟା । ଜ୍ୟାକେଟ୍‍ର କଣ ଆଉ ଜରି ଇତ୍ୟାଦି ଅଳଙ୍କାର ଅନୁସାରେ ଲୋକର ସଂଗତି ଚିହ୍ନାଯାଏ । ମଧ୍ୟବିତ୍ତ କାବୁଲି ସବୁ ଦେହରେ ବିଲାତି ଡ୍ରେସ୍ ପିନ୍ଧନ୍ତି । ଗୋଡ଼ରେ ବିଲାତି ଅକ୍ସଫୋର୍ଡ଼୍ ଜୋତା ଅଥବା ଆମେରିକାନ ବୁଟ୍ ଜୋତା । କେବଳ ମୁଣ୍ଡରେ ଗୋଟିଏ ଗୋଟିଏ ପାଗ । ବିଶେଷତଃ ପଞ୍ଜାବି ମୁସଲମାନ ବା ସୀମାନ୍ତ ପଠାଣଙ୍କ ପରି ସେ ପାଗ । ଏହି ପାଗଟି ହେଉଛି ସେମାନଙ୍କ ଜାତୀୟ ବିଶେଷତ୍ୱ । ବିମାନ ବନ୍ଦରରେ ଯେଉଁ ଟୋପିପିନ୍ଧା ଲୋକଙ୍କୁ ଦେଖିଥିଲି ସେମାନେ ହେଉଛନ୍ତି କାବୁଲି ରାଜକର୍ମଚାରୀ । ରାଜକର୍ମଚାରୀମାନେ ବିଶେଷତଃ କାବୁଲ ହୋଟେଲଠାରୁ ଆଗକୁ ବଜାର ଥିବାରୁ ସେଠାରେ ଲୋକଗହଳି ସବୁଠୁଁ ବେଶି । ସାଧାରଣ କାବୁଲ ଗାଁ ଗହଳର ଚାଷୀଙ୍କର ପହରଣ ଗୋଟାଏ ଗୋଟାଏ ସଲୱାର-ମୋଟା କାବୁଲି ଜୋତା-ସାଧାରଣତଃ ଟ୍ୟାନ୍ ନ ହୋଇଥିବା ମୁଣ୍ଡରେ ଟୋପି ପିନ୍ଧନ୍ତି ଆଉ ପୁଲିସ କନଷ୍ଟେବଳ ଓ ଚପରାଶି ପ୍ରଭୃତି ପଗଡ଼ି ପିନ୍ଧନ୍ତି ।

 

ରାସ୍ତାରେ କଳା ବୁର୍‍ଖା ପିନ୍ଧି ଚାଲୁଥିବା କଦବା କ୍ଵଚିତ୍ ଜଣେ ଜଣେ ସ୍ତ୍ରୀଲୋକ ଦେଖିବାକୁ ମିଳନ୍ତି । ଏମାନଙ୍କର ସର୍ବାଙ୍ଗ ଏହି କଳା ପରଦାରେ ଏପରି ଆଚ୍ଛନ୍ନ ଯେ ଏମାନଙ୍କର ବୟସ ବା ମୁଖର ସୌଷ୍ଠବ ଦେଖିବାର ଉପାୟ ନାହିଁ । ଶୁଣିଲି, ଆଫଗାନିସ୍ଥାନରେ ଗୋଟାଏ ମୁଲ୍ଲା ଆଇନ ଏପର୍ଯ୍ୟନ୍ତ ବଳବତ୍ତର ଅଛି । ଏହି ଆଇନ ଅନୁସାରେ କୌଣସି ସ୍ତ୍ରୀଲୋକ ବିନା ବୁର୍‍ଖାରେ ବାହାରକୁ ବାହାରିପାରିବ ନାହିଁ । ବାହାରିଲେ ତାଙ୍କୁ ଆଫଗାନ ମୁଦ୍ରାରେ ପାଞ୍ଚଶତ ତାଙ୍କ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ । ଏହି ମୃଲ୍ଲା ଆଇନକୁ ଅସ୍ଵୀକାର କରି ଆଫଗାନିସ୍ଥାନରେ ନୂତନ ସଂସ୍କାର ପ୍ରବର୍ତ୍ତନ କରିବାକୁ ଆଫଗାନିସ୍ଥାନର ଜଣେ ପୂର୍ବତନ ଅମିର ଅମାନୁଲା ଚେଷ୍ଟା କରିଥିଲେ । ଏହାଫଳରେ ତାଙ୍କୁ ରକ୍ଷଣଶୀଳ ମୁଲ୍ଲାଙ୍କର କଠୋର ପ୍ରତିରୋଧ ସହିବାକୁ ପଡ଼ିଥିଲା । ଅମାନୁଲ୍ଲଙ୍କର ପ୍ରଗତିଶୀଳ ଏବଂ ସଂସ୍କାରମୂଳକ ଚିନ୍ତାଧାରା ଦେଖି ବିଲାତି ସାମ୍ରାଜ୍ୟବାଦୀମାନେ ମଧ୍ୟ ଭାରତବର୍ଷରେ ଚମକି ପଡ଼ିଥିଲେ । ତେଣୁ ବାଧ୍ୟହୋଇ ଅମାନୁଲ୍ଲା ଆଫଗାନିସ୍ଥାନ ଗାଦି ଛାଡିଥିଲେ । ଇଟାଲିର କୌଣସି ନିଭୃତ ଭିଲାରେ ସେ ଆପଣାର ଶେଷ ଜୀବନ କଟାଉଛନ୍ତି । ସେ ବଞ୍ଚିଛନ୍ତି କି ମଲେଣି ତାର ଖବର ଆଉ କେହି ରଖୁନାହିଁ ।

 

ଅମାନୁଲ୍ଲା ଯାଇଛନ୍ତି କିନ୍ତୁ ଆଫଗାନ ରମଣୀ ଏପର୍ଯ୍ୟନ୍ତ ଏପ୍ରକାର ବର୍ବରତା ବିରୁଦ୍ଧରେ ନିରବ ସଂଗ୍ରାମ ଚଳାଇଆସିଛି ଏବଂ ସେହି ସଂଗ୍ରାମ ଯଦିଓ ରାଜନୈତିକ ଚେତନା ଅଭାବରେ ଉଚ୍ଚସ୍ତରକୁ ଯାଇପାରି ନାହିଁ ତଥାପି ଏହା ଅନ୍ତଃସଲୀଳା ଫଲ୍‍ଗୁ ଧାରାଭଳି ଭିତରେ ସନ୍ତତ ଜାଗ୍ରତ ରହିଛି । ଏହାର ପ୍ରତିକ୍ରିୟା ମଧ୍ୟ ଅନ୍ୟ ଆକାରରେ ଦେଖାଦେଇଛି । କାବୁଲରେ ଥିବା ଭାରତୀୟଙ୍କ ଭିତରେ ଜଣେ ବଙ୍ଗାଳି ଭଦ୍ରଲୋକ ଗୋଟିଏ ଉଡ଼ାଜାହାଜ କମ୍ପାନୀରେ କାମ କରନ୍ତି । ତାଙ୍କଠାରୁ ଶୁଣିଲୁ, ଆଫଗାନ ରମଣୀ ଟିକିଏ ସୁଯୋଗ ପାଇଲେ ଆପଣାର ଦାସତ୍ୱର ବନ୍ଦୀଶାଳା ସେହି ପରଦାକୁ ଫୋପାଡ଼ିଦିଏ । ଉଡ଼ାଜାହାଜରେ ଚଢ଼ିଲାପରେ ଓଭରକୋଟ୍ ରଖିଲାପରି ବୁର୍‍ଖାକୁ ଅଲଗୁଣିରେ ଟାଙ୍ଗିଦିଏ କିମ୍ବା ସିନେମାଘରେ ଦୁଆରମୁହଁରେ ପୋର୍ଟର ହାତରେ ଅଥବା ଆପଣା ସିଟ୍‍ପାଖରେ ଥୋଇଦିଏ । ବେଳେ ବେଳେ ମଧ୍ୟ ଅବଜ୍ଞାଭରେ ମୁଲ୍ଲାମାନଙ୍କ ସାମ୍ନାରେ ଯୁବତୀ ଆଫଗାନି ଆପଣାର ଶୁଭ୍ର ମୁଖମଣ୍ଡଳ ଏବଂ ସୁଗୋଲ କଣ୍ଠକୁ ମୁକୁଳା କରି ଚାଲେ ଏବଂ କୋର୍ଟଘରେ ବି ଜୋରିମାନା ନେଲାବେଳେ ବୁର୍‍ଖା ପିନ୍ଧେ ନାହିଁ । ଆହୁରି ପ୍ରତିକ୍ରିୟା ସ୍ୱରୂପ କେତେକ ଆଫଗାନ ରମଣୀ ସ୍ଲାକ ପିନ୍ଧନ୍ତି, ୟୁରୋପୀୟ ରମଣୀଙ୍କ ପରି ଗାଉନ, ପେଟି କୋଟ ପିନ୍ଧନ୍ତି ଏବଂ ହାଇହିଲ ଜୋତା ମାଡ଼ନ୍ତି । ଲିପଷ୍ଟିକ, ରଗ୍ ବା ପାଉଡ଼ର କେଉଁଟା ବାଦ୍ ଯାଏ ନାହିଁ-

***

 

ପାଞ୍ଚ

 

ଆଗରୁ ମୁଁ କେବେ ବିଦେଶ ଯାଇ ନ ଥିଲି । ବିଦେଶକୁ ଗଲାମାତ୍ରେ ବିମାନବନ୍ଦରମାନଙ୍କରେ କଷ୍ଟମର କଟକଣା ଭୋଗିବାକୁ ପଡ଼େ ଏ କଥା ମୋର ଗୋଚରରେ ଥିଲେ ବି ଅଭିଜ୍ଞତାରେ ନଥିଲା । ଦିଲ୍ଲୀ ବିମାନ ବନ୍ଦରରେ ଟଙ୍କ ପଇସା ବିଷୟରେ କଟକଣା କଥା କହିଛି - କିପରି ସେମାନେ ଆମକୁ କାବୁଲ ଯିବାର ଶୁଣି ଟ ୫୦୧ ଭାରତୀୟ ମୁଦ୍ରାରୁ ବେଶି ଛାଡ଼ିବାକୁ ବାରଣ କରୁଥିଲେ । କିନ୍ତୁ କାବୁଲରେ ଆସି ଦେଖିଲି ସେଠା ବିମାନ ବନ୍ଦରରେ କଷ୍ଟମ କଟକଣା ସେପରି କିଛି ନାହିଁ । ପରେ ଜାଣିପାରିଲି, ସେମାନେ ଆମପ୍ରତି ସମ୍ମାନ ସ୍ୱରୂପ ବିଶେଷ କିଛି ଦେଖିବାକୁ ଚାହୁଁ ନ ଥିଲେ । କାରଣ ସେମାନେ ଜାଣିଥିଲେ ଆମେ ଶାନ୍ତି ଡେଲିଗେସନ ଦଳ-କୌଣସି ବ୍ୟବସାୟ ଉଦ୍ଦେଶ୍ୟରେ ସେଠାକୁ ଆସିନାହୁଁ । ତେଣୁ କଷ୍ଟମକୁ ଠକିବାଭଳି ଆମର କିଛି ନଥିବ । କେବଳ କାବୁଲରେ କାହିଁକି ସୋଭିଏତ୍‍ ଦେଶରେ, ଫିନଲାଣ୍ଡରେ ବା ଚେକୋସ୍ଳୋଭାକିଆରେ କଷ୍ଟମର ଚିରାଚରିତ କଠୋର କଟକଣା ଆମ୍ଭମାନଙ୍କ ପାଇଁ ମୋଟେ ଲାଗୁ ହୋଇ ନାହିଁ । ଏପରିକି ଭାରତକୁ ଆସିଲାପରେ ଦିଲ୍ଲୀଠାରେ ମଧ୍ୟ ଯେତିକି ସମୟରେ କଷ୍ଟମ ଆମର ଜିନିଷପତ୍ର ପରୀକ୍ଷା କଲେ ତାହା ନଗଣ୍ୟ । କେବଳ ଆମ୍ଭମାନଙ୍କୁ ଆମ୍ଭ ସାଥିରେ ଥିବା ଜିନିଷପତ୍ର ତାଲିକା ମାଗି ତାହାକୁ ଚାହିଁଦେଇ ଅଥବା ଗୋଟାଏ ଯୋଡ଼ାଏ ଦେଖିଦେଇ ସେମାନେ ଆମକୁ ବିମାନବନ୍ଦରୁ ବାହାରକୁ ଛାଡ଼ି ଦେଇଥିଲେ ।

 

କିନ୍ତୁ କାବୁଲରେ ମୋର ଗୋଟିଏ ଭୁଲ୍ ହୋଇଗଲା । କଷ୍ଟମ୍ ଆପଣା ଜିନିଷ ଚେକ୍ କଲାବେଳେ ତୁମେ ସେଠାରେ ଛିଡ଼ା ହୋଇଥିବାର ବିଧି । ସେମାନେ ତୁମକୁ ପଚାରିଦେବେ ଅନ୍ତତଃ ଏ ଜିନିଷ ତୁମର କି ନୁହେଁ । ଯେପରି ତୁମର ଜିନିଷ ବୋଲି ଭୁଲ୍‍ରେ ଅନ୍ୟ ଜିନିଷ କଷ୍ଟମ ଛାଡ଼ି ବାହାରିନଯାଏ । ତାପରେ କାବୁଲଠାରେ ବି ଜିନିଷକୁ ଦେଖିସାରି ସେମାନେ ସେଥିରେ ଗୋଟାଏ ଚକ୍‍ ଖଡ଼ି ଚିହ୍ନ ଦେଇଦିଅନ୍ତି । ସେହି ଚିହ୍ନ ଦେଖିଲେ ପୋଟର ତୁମର ଜିନିଷ ବାହାରକୁ ନେଇ ତୁମର ଗାଡ଼ି ବା ଟ୍ରକ୍ ବା ଅନ୍ୟ କୌଣସି ସ୍ଥାନରେ ରଖିଦିଏ । କାବୁଲକୁ ଆସିଲାପରେ ମୁଁ ମୋର ପାସପୋର୍ଟ ଚେକ୍ କରାଇ ଆଣିଲି; କିନ୍ତୁ କଷ୍ଟମସ୍ ପାଖରେ ମୋ ଜିନିଷ ତନଖିବେଳେ ରହିଲି ନାହିଁ; ତେଣୁ ମୋର ଜିନିଷ ସେହିପରି ପଡ଼ିରହିଲା ।

 

କାବୁଲ ହୋଟେଲକୁ ଆସି ମୁଁ ଦେଖିଲି ଅନ୍ୟମାନଙ୍କ ଜିନିଷ ସାଙ୍ଗରେ ମୋର ଜିନିଷ ଆସିନାହିଁ । ସେଠୁ ମୋର ଭୁଲ୍ ମୁଁ ବୁଝିପାରିଲି । ସେତେବେଳକୁ ଦିନ ଗୋଟାଏ ବେଳ । କାବୁଲ ଏରୋଡ଼ମରୁ ଆମର ହୋଟେଲ ପ୍ରାୟ ଛଅ ସାତମାଇଲ ବାଟ । ଟ୍ୟାକ୍ସିରେ ଯିବା ଆସିବାକୁ ଛଅ ଟଙ୍କାରୁ କମ୍ ଲାଗିବ ନାହିଁ । କିନ୍ତୁ ସେହି ଜିନିଷପତ୍ର ଭିତରେ ମୋର ସମସ୍ତ ରାତିପିନ୍ଧା ଆଉ ବ୍ୟବହାର ଜିନିଷ ରହିଲା । କେବଳ ହାତ ବ୍ୟାଗ୍‍ଟି ମୁଁ ଧରିଆସିଛି । ବିମାନ ବନ୍ଦରକୁ ଫୋନକରି ବୁଝିଲି ସେଠାରେ ମୋର ସୁଟକେସ୍‍ଟି ଅଛି । କିନ୍ତୁ ସେଠାରୁ ଆଣିବାର କୌଣସି ସୁବିଧା ମୁଁ ନ କଲେ ଆସିବାର ଉପାୟ ନାହିଁ । ସମସ୍ତେ ପରାମର୍ଶ ଦେଲେ-କାଲି ସକାଳୁ ତ ସେଇ ବାଟରେ ସୋଭିଏତ୍‍ ଦେଶକୁ ଯିବାକୁ ହେବ । ତେବେ ଗୋଟାଏ ରାତି ପାଇଁ ମୁଁ ୬/୭ ଟଙ୍କାର ଟ୍ୟାକ୍‍ସି ଖର୍ଚ୍ଚ କରିବି କାହିଁକି ?

 

କାବୁଲ ହୋଟେଲ ହେଉଛି କାବୁଲର ଏକମାତ୍ର ସମ୍ଭ୍ରାନ୍ତ ହୋଟେଲ । କାବୁଲ ସରକାରଙ୍କର ଖାସ୍ ତତ୍ତ୍ୱାବଧାନରେ ଚଳେ । ଶୁଣିଲି, ଏଇଟା କିନ୍ତୁ ଷ୍ଟେଟ୍‍ର ସମ୍ପତ୍ତି ନୁହେଁ, ରାଜାଙ୍କ ସମ୍ପତ୍ତି । ଠିକ୍‍ ଆମର ଗଡ଼ଜାତ ରାଜାମାନେ ପୂର୍ବେ ଯେପରି ଗୁଡ଼ାଏ ଘରୋଇ ପ୍ରତିଷ୍ଠାନ କରିଥିଲେ ସେହିପରି କାବୁଲର ଅମିରମାନଙ୍କର କେତେଗୁଡ଼ିଏ ଘରୋଇ ପ୍ରତିଷ୍ଠାନ ଅଛି । ଗୋଟିଏ ଚମଡ଼ା ଟ୍ୟାନିଙ୍ଗ କାରଖାନା ବି ଏଭଳି ଘରୋଇ ପ୍ରତିଷ୍ଠାନ । କାବୁଲ ହୋଟେଲର ଦୁଇମହଲାରେ ଜଣିକିଆ, ଦୁଇ ଜଣିକିଆ ଏବଂ ତିନିଜଣିକିଆ ବଖରାମାନ ଥାଏ । କେତେଜଣ ଆମେରିକାର ପର୍ଯ୍ୟଟକ ମଧ୍ୟ ସେଠାରେ ରହୁଥାନ୍ତି । ସମସ୍ତ କାବୁଲରେ ଆମେରିକାର ଗନ୍ଧଟା ବେଶି ନାକରେ ବାଜେ । ବିଲାତି ସିଗାରେଟ ମିଳେ, କିନ୍ତୁ ଆମେରିକାର 'ଲାକିଷ୍ଟାର', 'ବୋଷ୍ଟନ' ଇତ୍ୟାଦି ସିଗାରେଟ ମଧ୍ୟ ବହୁତ ମିଳେ । ଆମେରିକାର ଗୋଟିଏ ସାମାଜିକ ଯୋଗସୂତ୍ରକାରୀ ମଧ୍ୟ ଏଠାରେ ରହିଛନ୍ତି । ବିମାନଘାଟିରେ ଗୋଟିଏ ବେଶ୍ ବିଶାଳକାୟ ଆମେରିକା ଆକାଶ ବାହିନୀର ଉଡ଼ାଜାହାଜ ଦେଖିଥିଲୁଁ । ଉଚ୍ଚଶିକ୍ଷାର ବିଦ୍ୟାଳୟ ଯାହା ଅଛି ତାହା ପୂର୍ବେ ଥିଲା ଫରାସୀ-ଫରାସି ସ୍କୁଲ; ଏବେ ହୋଇଛି ଇଂରେଜ଼ୀ-ଆମେରିକାନ ସ୍କୁଲ । ଏହି ୨ପ୍ରକାର ସ୍କୁଲରେ ପାଠପଢ଼ିବା ପୂର୍ବରୁ ଫରାସୀ ବା ଆମେରିକା (ଇଂରେଜୀ) ଭାଷା ଶିଖିବାକୁ ପଡ଼େ । ଏଥିରୁ ଗୋଟିଏ ଭାଷା ନ ଶିଖିଲେ ଛାତ୍ରର ଉଚ୍ଚଶିକ୍ଷାର ଦ୍ୱାର ରୁଦ୍ଧ ରହେ ।

 

କାବୁଲ ହୋଟେଲରେ ମଧ୍ୟ ଦେଖିଲୁ ଯେ ସେଠାରେ କାବୁଲ ବା ଆଫଗାନିସ୍ଥାନର ଗନ୍ଧ ନାହିଁ । କେବଳ ଆଫଗାନ ମାଟି ଉପରେ ହୋଟେଲଟା ହୋଇଛି । ଏଇମାତ୍ର ତାକୁ କାବୁଲ ହୋଟେଲ ବୋଲି କୁହାଯିବାର ସାର୍ଥକତା । ନତୁବା ତାହାର ଘର ଦ୍ୱାର, ଖାଇବା ପିଇବା, ଆଚାର ଏବଂ କାଇଦା ସବୁ ୟୁରୋପୀୟ । ମ୍ୟାନେଜର ଇଂରାଜୀ ଭଲ ଜାଣନ୍ତି ନାହିଁ । କିନ୍ତୁ ପ୍ରାଞ୍ଜଳ ଭାବରେ ଫରାସୀ ଭାଷା କହନ୍ତି । ହୋଟେଲର ବଏ୍‍ମାନେ ଫରାସୀ କାଇଦାରେ କୁର୍ଣ୍ଣିସ କରନ୍ତି । ଘରର ଖଟ, ଗଦୀ, ମ୍ୟାଟ୍ରେସ ଦେଖିଲୁ ବିଦେଶୀ । ସୋଫାଗୁଡ଼ିକ ସୁଇଡ଼େନରେ ତିଆରି । ଲୁହାର ଖଟ ଆସିଛି ବାରମିଙ୍ଗହାମରୁ, କାନ୍ଥର ଦର୍ପଣ ଆସିଛି ବେଲଜିୟମରୁ । ଗାଧୁଆ ଘରର ବେସିନ ଏବଂ ଅନ୍ୟାନ୍ୟ ଫିଟିଂ ସବୁ ଆମେରିକାର । ଦୁଆର ଶିକୁଳି ନବ୍‍ଠାରୁ କାନ୍ଥର କାମିଜ ରଖିବା ରାକ୍ ପର୍ଯ୍ୟନ୍ତ ସବୁ ବିଦେଶ ତିଆରି ।

 

ଖାଇବା ଟେବୁଲ ଉପରେ ଆଫଗାନିସ୍ଥାନର ରୁଟି ଓ (ବୋଧହୁଏ) ଆଫଗାନିସ୍ଥାନର ଭାତ ଛଡ଼ା ଆଉ କିଛି ଦେଶୀ ଜିନିଷ ଦେଖିଲୁ ନାହିଁ । ଆମ୍ଭେମାନେ ମନେକରିଥିଲୁ, ରନ୍ଧାବଢ଼ା ମୁସଲମାନି କାଇଦାରେ ହୋଇଥିବ । କିନ୍ତୁ ପୁରା ବିଲାତି ଢଙ୍ଗରେ ଖଣ୍ଡେ ଖଣ୍ଡେ ପାଉଁରୁଟିର ସାଇଡ଼ଡ଼ିସ୍, ସେଇ ଅଣ୍ଡର ଗୋଟାଏ ଆମଲେଟ୍, ସେଇ ସୁପ୍ ଆଉ ଗୋଟାଏ କୋର୍ସରେ ବିଲାତିଆଳୁ ଆଉ କଣ ମାଂସ, ତାହା ସାଙ୍ଗରେ ଫଳ ହେରିକା କଣ ଥିଲା ବା ଫୁଡ଼ିଙ୍ଗ ବା ଅନ୍ୟକିଛି ମିଠା ଥିଲା ବୋଧହୁଏ ଆଉ ବେଶି ମନେରଖି ନାହିଁ । ସେତିକିବେଳେ ଆମ ଭିତରୁ ଅଧିକାଂଶ ଆଫଗାନଙ୍କର ଜାତୀୟ ଖାଦ୍ୟ ତିଆରି କରିବାକୁ ଏବଂ ରାତି ଡିନରକୁ ତାହା ଯୋଗେଇବାକୁ କହିଥିଲେ । ହୋଟେଲର ମେନେଜର କହିଲେ, ତାହା ଯୋଗାଇଲେ ବେଶି ଖର୍ଚ୍ଚ ପଡ଼ିବ । ଆମେ ଖର୍ଚ୍ଚକୁ ନ ଡରି ତାହା ତିଆରି କରିବାକୁ ଅର୍ଡ଼ର ଦେଇ ଆସିଲୁ । କାରଣ ଆଫଗାନମାନଙ୍କର ନିଜସ୍ୱ ଖାଦ୍ୟପଦାର୍ଥ ଏବଂ ଜୀବନକୁ ଜାଣିବାକୁ ଆମର ଇଚ୍ଛା ଥିଲା ।

 

ଆଫଗାନିସ୍ଥାନରୁ ଡେଇଁ ଯେତେବେଳେ ସୋଭିଏତ୍‍ ଦେଶରେ ପ୍ରବେଶ କଲୁ ସେତେବେଳେ ଦେଖିଲୁ ସେଠାରେ କୌଣସି ଜିନିଷ ନାହିଁ ଯେଉଁଥିରେ ସୋଭିଏତ୍ ଦେଶର ଛାପ ଗର୍ବଭରେ ମରି ନାହିଁ । ଅଥଚ ଓଲଟା ଦିଗରେ ଆଫଗାନିସ୍ଥାନରେ ଗୋଟାଏ ଜିନିଷ ଦେଖିବାକୁ ପାଇଲୁ ନାହିଁ ଯାହା ଆଫଗାନର ନିଜସ୍ୱ ଜିନିଷ ବୋଲି କୁହାଯାଇପାରିବ । ବିଲାତିମାନେ ପ୍ରଥମେ ଆସିବାପରେ ଯେପରି ଭାରତର ତୁଳା ପାହାଡ଼ ପାହାଡ଼ ବୋହିନେଇ ତା ବଦଳରେ କେତେଖଣ୍ଡ ମାଞ୍ଚେଷ୍ଟରୀ ଲୁଗା ଏଠାକୁ ପଠାଇ ଦେଉଥିଲେ ଠିକ୍‍ ସେହିପରି ଆଫଗାନିସ୍ଥାନର କଞ୍ଚାମାଲ ତୁଳା, ଚମଡ଼ା, ପଶମ ଇତ୍ୟାଦି ଯାଇ ବିଦେଶୀମାନଙ୍କ ଦେଶରୁ ଲୁଗାପଟା ଇତ୍ୟାଦି ଏହି ଦେଶକୁ ଆସିବାରେ ଲାଗିଛି । କେବଳ ଅଙ୍ଗୁର କୋଳି ଆଉ କାର୍ପେଟ (ଗାଲିଚା) ଦୁଇଟା ଆଫଗାନିସ୍ଥାନର ନିଜସ୍ୱ ଦାନ ।

 

ପ୍ରକୃତରେ ଆଫଗାନିସ୍ଥାନର ରାସ୍ତାଘାଟ, ଚାଲିଚଳଣ, ନାରୀ, ପରୁଷ ଏବଂ ତାର ବିପଣୀ ବଜାର ଦେଖିଲେ ନିଶ୍ଚୟ ମନେହେବ ଏହି ଶୁଷ୍କ ମରୁମୟ ରାଜ୍ୟ "ଏସିଆର ନିଦ୍ରିତା ରାଜକନ୍ୟା ।"

***

 

ଛଅ

 

ଯେଉଁ ଆଫଗାନ ଯୁବକ ଏହି ହତଭାଗିନୀର ଭାଗ୍ୟ ସହିତ ମୋତେ ପରିଚୟ କରାଇଥିଲେ ତାଙ୍କର ନାମ ୱାଲି ମହମ୍ମଦ । ଖାଇସାରି ବିଶ୍ରାମ ନେଉଛୁ, ହୋଟେଲର ଦରୱାନ ଆସି ଦୁଆରେ ଠକ୍ ଠକ୍ କଲା । ଗୋଟିଏ ରୁମ୍‍ରେ ଆମେ ଥାଉ ଦୁଇଜଣ । "ମିଷ୍ଟର ମିଶ୍ର ଏଠାରେ ଅଛନ୍ତି ?" ମୋର ଆଖିରେ ନିଦ ଲାଗିଆସୁଥିଲା । ଧଡ଼ପଡ଼ ହୋଇ ଉଠିବସିଲି । ଲଙ୍କାରେ ହରିଶବ୍ଦ ! କାବୁଲରେ ମତେ ଖୋଜୁଛି କିଏ ? ପ୍ରଥମେ ମନେକଲି କାବୁଲ ବିମାନଘାଟିରୁ ବୋଧହୁଏ ମୋର ଛାଡି ଆସିଥିବା ସୁଟକେଶ୍ ନେଇ କୌଣସି ଆଫଗାନ ତରୁଣ ଆସିଛନ୍ତି । କିନ୍ତୁ ତାହା ବି ନୁହେଁ । ତରୁଣ ହେଉଛନ୍ତି ୱାଲି ମହମ୍ମଦ । ପୁଣି ମନରେ କରିନେଲି ସାଲେପୁର ବାଟରେ ଯେଉଁ ଦୋସ୍ତ ମହମ୍ମଦ କାବୁଲିଙ୍କୁ ଦେଖିଥିଲି ଇୟେ ତାଙ୍କର ପୁଅ ନୁହନ୍ତି ତ-? ଦୋସ୍ତ ମହମ୍ମଦ କଣ ତାଙ୍କ ଘରକୁ ଚିଠି ଲେଖିଥିଲେ ! ଲେଖିଥିଲେ ମଧ୍ୟ ମୁଁ ଆଜି ଆସି ପହଞ୍ଚିବି ଏକଥା ତାଙ୍କର ପରିବାର ଲୋକ ଜାଣନ୍ତି କିପରି ? ନୁହେଁ ।

 

ୱାଲି ମତେ ଖଣ୍ଡି ଖଣ୍ଡି ଇଂରେଜୀରେ ପିଲାଙ୍କ ଦରୋଟିଭଳି କଣ୍ଠରେ କହିଲେ, "ମୋତେ ମିଷ୍ଟର ମହାପାତ୍ର ପଠାଇଛନ୍ତି । ସେ ତ ବାହାରିପାରିବେ ନାହିଁ । ତେଣୁ ଆପଣ ଯଦି କଷ୍ଟ କରି ଆସିପାରନ୍ତେ ।"

 

ମନେପଡ଼ିଲା–ମିଷ୍ଟର ମହାପାତ୍ର–ପି.ସି. ମହାପାତ୍ର କଟକର । ଉତ୍ତର ଓଡ଼ିଶା ସର୍କଲର ସ୍କୁଲ ଇନ୍‍ସପେକଟର ଶ୍ରୀରାମ ମହାପାତ୍ରଙ୍କ ପୁଅ । ଏଇଠି ଆରାୟାନା ଉଡ଼ାଜାହାଜ କମ୍ପାନୀରେ ବେତାର ବିଭାଗରେ ଅପରେଟର । ତାଙ୍କୁ କେବେ ଦେଖିଛି ବୋଲି ମନେ ନାହିଁ । କେବଳ କଟକରୁ ଆସିଲାବେଳେ ଶୁଣିଥିଲି କାବୁଲରେ ଜଣେ ଓଡ଼ିଆ ଅଛନ୍ତି । ତାଙ୍କର ଠିକଣା ମଧ୍ୟ ମନେ ନ ଥିଲା । କୌଣସି ପୋଷ୍ଟ ବକ୍ସର କେତେନମ୍ବର ହେବ ପରା । କାବୁଲ ହୋଟେଲକୁ ଆସିଲା ପରେ ଖାଇବା ଘରେ ଗୋଟିଏ ବୟକୁ ପଚାରିଲି ,"ଭାରତର ମିଷ୍ଟର ମହାପାତ୍ର ଖାଇବାକୁ ଆସିଛନ୍ତି କି ?" ଧର୍ମକୁ ଆଖିଠାର ମାରିଲାପରି ପଚାରିଦେଲି; କାରଣ କାବୁଲ ହୋଟେଲ ଯଦି ଏକମାତ୍ର ସମ୍ଭ୍ରାନ୍ତ ହୋଟେଲ ତେବେ କେବେତ ହେଲେ ପୂର୍ଣ୍ଣଚନ୍ଦ୍ର ଏଠାକୁ ଖାଇବାକୁ ଆସୁଥିବେ ? ବୟ କହିପାରିଲା ନାହିଁ । ମୁଁ ନିରସ୍ତ ହୋଇ ଫେରୁଥିଲି । ଏତିକିବେଳେ ଦୂରରେ ଆଉ ଗୋଟେ ଟେବୁଲରେ ଦେଖିଲି ତିନିଜଣ ଭାରତୀୟ ଭୋଜନରେ ବ୍ୟସ୍ତ ଅଛନ୍ତି । ସେମାନେ ଖାଇସାରି ତଳେ ଯେତେବେଳେ ମୋର ସୁଟକେଶ୍ ଖୋଜିବାରେ ବ୍ୟସ୍ତ ଥାଏ ସେତେବେଳେ ମୋତେ ଭେଟିଲେ । ସେହିଦିନ ତ ଭାରତ ଛାଡ଼ିଥାଉଁ ସକାଳ ୬ଟା ବେଳେ । ତେଣୁ ଭାରତୀୟ ଲୋକ ଦେଖିବାରେ ଆମର ସେପରି କିଛି ଆଗ୍ରହ ନଥଏ । କିନ୍ତୁ ଯେଉଁ ଭାରତୀୟମାନେ ଅନେକକାଳରୁ ଜନ୍ମଭୂମି ଛାଡ଼ିଲେଣି ସେମାନେ ଜଣେ ଭାରତୀୟକୁ ଭେଟିଲେ ଅମୂରଛକ ପରି ହେଉଥାନ୍ତି । ଆମ ପାଇଁ କୌଣସି କାମଟିଏ କରିଦେଇ ପାରିଲେ ଗୋଟାଏ ବଡ଼ କାମ କରିପାରିଲେ ବୋଲି ଭାବୁଥାନ୍ତି । ବିଦେଶରେ କିଛିଦିନ ରହିଲା ପରେ ଆପଣାର ଦେଶ ବା ଦେଶବାସୀ ପ୍ରତି କିପରି ଗଭୀର ମମତା ଜାଗେ ତାହା କିଛି କଲାପରେ ମୁଁ ଜାଣିପାରିଲି । କିନ୍ତୁ ସେତେବେଳେ ତ ଭାରତ କେବଳ ପାଞ୍ଚ ଛଅ ଘଣ୍ଟା ହେଲା ଛାଡ଼ିଥାଉଁ । ଏଭଳି ମନୋଭାବ ଆସନ୍ତା କେଉଁଠୁ ?

 

ଭାରତୀୟ ତିନିଜଣ ମୋ ସାଙ୍ଗରେ ସେକ୍‍ହ୍ୟାଣ୍ଡ କଲେ କି ନମସ୍ତେ ବୋଲି କହିଲେ ମୋର ମନେ ନାହିଁ । ଇଂରେଜୀରେ ନିଶ୍ଚୟ କହିଥିବେ । କାରଣ ବିଦେଶରେ ଆପଣାର ଦେଶର ଭାଷା ବୋଲି ଆମେ କୌଣସି ଭାଷାଟିକୁ ଗ୍ରହଣ କରିପାରି ନାହୁଁ । ଭାରତ ଛାଡ଼ିଲାପରେ ପ୍ରକୃତରେ ମନେହେଲା ହିନ୍ଦୀଟା ହେଲେ ଆମେ ସମସ୍ତେ ଜାଣିଥାନ୍ତୁ । ହେଲେ ପଛେ ହିନ୍ଦୀ ଅଣଓଡ଼ିଆ ବା ଅଣବଙ୍ଗାଳି ତଥାପି ହିନ୍ଦୀ ତ ଇଂଗ୍ରେଜୀଠାରୁ ଆହୁରି ଭାରତୀୟ । ତେଣୁ ବିଦେଶରେ ଆମର ନିଜସ୍ୱ ଭାଷାରେ କଥା ନ କହି ଇଂରେଜୀରେ କଥା କହିବାର ହୀନତା ବ୍ୟାଧି ଆମେ କେବେ ଛାଡ଼ିବୁ ?

 

ଭାରତୀୟ ତିନିଜଣ ମୋତେ କହିଲେ ସେମାନେ ମିଷ୍ଟର ମହାପାତ୍ରଙ୍କୁ ଚିହ୍ନନ୍ତି । ସେ ହାଡ଼ଫୁଟିରେ ପଡ଼ିଛନ୍ତି । ଅବଶ୍ୟ ବର୍ତ୍ତମାନ ଭଲ ହେଇଗଲେଣି । କିନ୍ତୁ କମ୍ପାନୀର ନିୟମ ଅନୁସାରେ ପନ୍ଦରଦିନ ଗଲେ ତାଙ୍କର କ୍ୱାରେନଟାଇନ୍ ବା ଅମିଶିବା ସମୟ ଯିବ । ତେଣୁ ସେ ଆସିପାରିବେ ନାହିଁ । ତଥାପି ଉକ୍ତ ଭାରତୀୟମାନେ ପ୍ରତିଶ୍ରୁତି ଦେଲେ ଯେ ସେମାନେ ମୋର ଆସିବା ଖବର ମହାପାତ୍ରଙ୍କୁ ଜଣାଇଦେବେ । ମୁଁ ସେମାନଙ୍କୁ କହିଲି ଯେ ତାଙ୍କୁ କହିବାକୁ ମୁଁ କଟକରୁ ଆସିଛି ଏବଂ ମିଷ୍ଟର ମହାପାତ୍ରଙ୍କର ପରିବାରର ସମସ୍ତ କୁଶଳ ।

 

ଭାରତୀୟ ତିନିଜଣ ଯେ କଷ୍ଟସ୍ୱୀକାର କରି ପୂର୍ଣ୍ଣଚନ୍ଦ୍ରଙ୍କୁ ମୋର ଆସିବା ଖବର କହିଥିବେ ଏବଂ ସେ ମୋତେ ଖୋଜିବା ପାଇଁ ଲୋକ ପଠାଇବେ ଏକଥା ମୁଁ ଏକାବେଳକେ ଭୁଲି ଯାଇଥିଲି । ୱାଲି ମହମ୍ମଦ ମୋତେ କହିଲା ପରେ ମୋର ଚେତନା ହେଲା କାବୁଲକୁ ଭଲକରି ଦେଖିବାକୁ, ଏଠାରେ ଜୀବନଯାତ୍ରା କଥା ଜାଣିବାକୁ କଣ କରାଯାଇପାରେ ଏହାହିଁ ଆମର ଭାରତୀୟମାନଙ୍କର ଚିନ୍ତାର ବିଷୟ ଥିଲା । ଆଗରୁ ଭାରତୀୟ ଦୂତାବାସରୁ ନିମନ୍ତ୍ରଣ ଥିଲା । ସେଠାରେ ମିଷ୍ଟର ଦୟାଲ ହେଉଛନ୍ତି ଭାରତର ରାଜଦୂତ । ଆମେ ଭାରତୀୟମାନେ ସେହିଠାରେ ହିଁ ଆଫଗାନିସ୍ଥାନକୁ ଚିହ୍ନିବୁ ବୋଲି ଧରିନେଇଥିଲୁ । କିନ୍ତୁ ୱାଲି ମହମ୍ମଦଙ୍କୁ ଦେଖିଲାପରେ ମୋର ମନରେ ଆଫଗାନିସ୍ଥାନର ପରିଚୟର ଆଶା ଜାଗିଉଠିଲା ।

 

ଖଣ୍ଡିଏ ଟଙ୍କାଧରି ୱାଲି ଆଉ ମୁଁ ଦୁହେଁ ବାହାରିଲୁ । ଯେଉଁ ବାଟରେ ବିମାନବନ୍ଦରରୁ କାବୁଲ ହୋଟେଲ ଆସିଥିଲି ସେହି ବାଟ । ବାଁ ପାଖରେ ଇଟାଲୀୟ ଦୂତାବାସ ଆଉ ଫରାସୀ ଦୂତାବାସ । ତାପରେ ଗୋଟାଏ ପଡ଼ିଆ ଆଉ ଇଟା ପାଚେରୀ ଘେରା ବଗିଚା । ଏହି ବଗିଚା ହେଉଛି ଆଫଗାନିସ୍ଥାନ ପ୍ରଧାନମନ୍ତ୍ରୀଙ୍କର । ୱାଲିଙ୍କୁ ପଚାରିଲି କାବୁଲର ଦର୍ଶନୀୟ ଜିନିଷ କେତୋଟି ମତେ ଦେଖାଇବାକୁ । ସେ ବଡ଼ ମ୍ଳାନ ହସ ହସିଦେଲେ ।

 

କାବୁଲ ରାସ୍ତାରେ ଭାରତର ଟାଙ୍ଗା ଭଳି ଖଣ୍ଡିଏ ଟାଙ୍ଗାରେ ଶୁଭ୍ର ଆକାଶ ତଳେ ଆମେ ଯାଉଥିଲୁ । ଦିଲ୍ଲୀ ସହରର ଅସହ୍ୟ ଗ୍ରୀଷ୍ମଯରେ କାବୁଲର ଶୀତଳତାରେ ଆମର ପ୍ରାଣ ପ୍ରକୃତରେ ଶୀତଳ ହୋଇଉଠିଲା । ସେଥିପାଇଁ କାବୁଲ ଆମ ସମସ୍ତଙ୍କୁ ଭଲ ଲାଗିଥିଲା । କିନ୍ତୁ ସେହି ସୁସ୍ଥ ଶୀତଳ ଖରାବେଳେ ୱାଲିଙ୍କର ମ୍ଳାନ ହସ ମୋ ମନରେ ଚମକ ଆଣିଲା । ସେଇଠି ସେ ମୋତେ କହିଲେ,"ଏଠାରେ କଣ ଦେଖିବାର ଅଛି ? ଏଇତ ଆଫଗାନିସ୍ଥାନ, ଏସିଆର ହତଭାଗିନୀ କନ୍ୟା-।"

 

୨୪/୨୫ବର୍ଷର ଏହି ନମ୍ର, ସଂଯତ ଏବଂ ମଧୁର ରୂପର ଯୁବକଙ୍କ ଆଖିରେ ମୁଁ ଆଫଗାନିସ୍ଥାନର ଆଗାମୀ ରୂପ ଦେଖିପାରିଲି । ୱାଲି ଆପଣାର କୃତିତ୍ୱ କଥା କିଛି କହିଲେ ନାହିଁ-। ପରେ ପୂର୍ଣ୍ଣଚନ୍ଦ୍ରଙ୍କଠାରୁ ଶୁଣିଲି ୱାଲି ହେଉଛନ୍ତି ଆଫଗାନିସ୍ଥାନର ତିନୋଟି ଇଞ୍ଜିନିଅରଙ୍କ ଭିତରୁ ସର୍ବକନିଷ୍ଠ । କାବୁଲରୁ ଫରାସୀ ସ୍କୁଲରେ ପାଠପଢ଼ି ସେ ପାସ୍ କଲେ । ତାପରେ ଫ୍ରାନ୍ସରେ ଏବଂ ବିଲାତରେ ଉଡ଼ାଜାହାଜର ଗ୍ରାଉଣ୍ଡ ଇଞ୍ଜିନିଅରିଂ ଟ୍ରେନିଂ ପାଇଲେ । ସୋଭିଏତ୍ ରୁଷିଆରେ ଗୋଟିଏ ବର୍ଷ ଟ୍ରେନିଂ ପାଇ ବର୍ତ୍ତମାନ ଆଫଗାନିସ୍ଥାନ ଫେରି ଆରୟାନ ଉଡ଼ାଜାହାଜ କମ୍ପାନୀରେ ଚାକିରି କରୁଛନ୍ତି ।

 

ୱାଲି ମତେ କହିଲେ, "ଏଇତ ଦେଖୁଛନ୍ତି ରାସ୍ତା, ଆଫଗାନିସ୍ଥାନର ରାଜଧାନୀର ପଥ ଇୟେ । ଦୁଇ ପାଖରେ ନର୍ଦ୍ଦମା ପରି ନାଳ ବୋହିଯାଉଛି । ଘୁଷୁରୀ ପରି ଆମ ଦେଶର ଲୋକେ ଏଥିରୁ ପାଣି ପିଉଛନ୍ତି, ବାସନ ମାଜୁଛନ୍ତି, ନମାଜ ପାଇଁ ଶୌଚ ହେଉଛନ୍ତି । ଶୀତଦିନେ ଏତକ ମଧ୍ୟ ମିଳେ ନାହିଁ । ମୁଁ କହିଲି, ଆମରି ଭାରତରେ ମଧ୍ୟ ସେପରି ଅନେକ ଜାଗା ଅଛି । ତୁମେ ଦୁଃଖ କରନାହିଁ ଏହା କଣ ଚିରକାଳ ରହିବ ?"

 

ୱାଲି ମୋତେ କହିଲେ,"ମୁଁ ଜାଣେ ଏହା ଚିରକାଳ ରହିବ ନାହିଁ । ଭାରତରେ କିନ୍ତୁ ଲକ୍ଷ ଲକ୍ଷ ଲୋକ ଶିକ୍ଷିତ ହୋଇଛନ୍ତି । ଭାରତ ବିଲାତକୁ ହଟାଇଦେଇଛି । ଭାରତ ବିରାଟ ଦେଶ ତାହା ସାଙ୍ଗରେ ଆମର ତୁଳନା କାହିଁ ?"

 

କାହିଁ ସତେ ତାର ତୁଳନା ? ଆଫଗାନିସ୍ଥାନର ଦୁର୍ଦ୍ଦଶା ଦେଖି ସାମ୍ରାଜ୍ୟବାଦୀ ଉପନିବେଶକ ଦଳ ଏହି ଦେଶର ସମସ୍ତ ଅକ୍ତିଆର କରି ରଖିଛନ୍ତି । ୱାଲି କହିଲେ,"ଶୁଣୁଛନ୍ତି ରାସ୍ତାରେ ଉର୍ଦ୍ଦୁ ବା ହିନ୍ଦୁସ୍ଥାନୀ ସଂଗୀତ । ରେଡ଼ିଓ ଷ୍ଟେସନରେ ମଧ୍ୟ ଫରାସୀ ଭାଷା ହିଁ ଶୁଣିବେ । ପାକିସ୍ତାନ ସହିତ ଆମର ଝଗଡ଼ା ପାଖତୁନିମାନଙ୍କର ଆତ୍ମନିୟନ୍ତ୍ରଣ ଅଧିକାର ପାଇଁ । କାରଣ ସେମାନେ ଆମର ସମ୍ପର୍କ, ସମଭାଷାଭାଷୀ-ସେମାନେ ପସ୍ତୁ ଭାଷା କହନ୍ତି । କିନ୍ତୁ ସେହି ଭାଷା କଣ କାବୁଲର ଦୋକାନ ବଜାରରେ ଚାଲେ ? ଦୋକାନ ବଜାରରେ ଚାଲେ ଫରାସୀ ଭାଷା । ପସ୍ତୁ ଭାଷା ଆମେ କେବଳ ଘରଭିତରେ କହୁ । ଆମର ମାତୃଭୂମି ଭାଷାରେ ବାହାରେ କଥା କହିବାକୁ ମଧ୍ୟ ଆଫଗାନି ଲୋକଙ୍କୁ ସଂକୋଚ ଲାଗେ ।"

 

"କେତୋଟି ଦୂତାବାସ ଆଉ କେତୋଟି ଉଡ଼ାଜାହାଜ କମ୍ପାନୀ ଏଇତକ କାବୁଲରେ ସଭ୍ୟତା । ଆଉ କିଛି ନାହିଁ । ମଟରଗାଡ଼ି ସବୁ ଦେଖୁଛନ୍ତି, ଏଇତକ ବିରାଟ ମଟରଗାଡ଼ି ଆମେରିକାର ବା ବିଲାତ ଅଥବା ସୋଭିଏତ୍‍ର । ଏଗୁଡ଼ିକୁ ଚାହିଁ ମନେହେବ କାବୁଲ ଆମର ଖୁବ୍ ସଭ୍ୟ ହୋଇଛି । ହାକ୍ ଯାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ ଯୋଡ଼ିଏ ଉଡ଼ାଜାହାଜ କମ୍ପାନୀ ରହିଛନ୍ତି ଏବଂ କେ ଏଲ୍ ଏମ୍‍ର ଗୋଟିଏ ସର୍ଭିସ ଭାରତରୁ ଏଠାକୁ ସପ୍ତାହକେ ଥରେ ଆସୁଛି । ଏଇତକ ହେଲା ବାହାର ସଂସାର ସାଙ୍ଗରେ ପରିଚୟ ଆଉ ସମ୍ପର୍କ ।

 

"ଅଙ୍ଗୁର କୋଳି ଶସ୍ତା ବୋଲି ଶୁଣିଥିବେ । କିନ୍ତୁ ଏଭଳି ଶସ୍ତା କୋଳି କଣ ଏଠାରେ ଗରିବ ଲୋକେ ଖାଇବାକୁ ପାଆନ୍ତି ? ଆଫଗାନିସ୍ଥାନରେ ଗୋଟାଏ କଥା ଅଛି, 'ଚାଷୀ କରେ ଅଙ୍ଗୁର, ଆଉ ଖାଏ କାଠବାଦାମ'। ଇତଃରେ ଆଉ ଗୋଟାଏ ଉପାର୍ଜନ ହୁଏ କାର୍ପେଟରୁ । କିନ୍ତୁ ଆପଣ ଦେଖିବେ ଆମପରି ମଧ୍ୟବିତ୍ତ ଘରେ ମଧ୍ୟ ତଳେ କତାର ଗାଲିଚା ବିଛାଇଛୁ । କତା ଯାହା ଭାରତର ନଡ଼ିଆରୁ ତିଆରି ହୁଏ । ସେତିକି ବାଟରୁ ଆସେ ତାହା ଆମେ ବିଛାଇଛୁଁ । କାରଣ ଏଇଠାରେ ସିମେଣ୍ଟର ଚଟାଣ ନାହିଁ କହିଲେ ଚଳେ । ତଳୁ ସବୁବେଳେ ଧୂଳିର ପଟଳ ଉଠେ । ସବୁଆଡ଼େ ଧୂଳିମୟ ହୋଇଯାଏ । ତେଣୁ ମେଜିଆରେ ଗୋଟାଏ କିଛି ବିଛାଇବା ଦରକାରପଡ଼େ-। କିନ୍ତୁ ଆମରି ତୁଳାରେ ବା ମେଣ୍ଢା ରୋମରେ ତିଆରି ଗାଲିଚା ବି ଆମ ମେଜିଆରେ ପଡ଼ିପାରେ ନାହିଁ ।

 

କାବୁଲର ପ୍ରଧାନ ରାସ୍ତା ଛାଡ଼ି ଆମର ଟଙ୍ଗା ଗୋଟାଏ ବାଙ୍କ ବୁଲିଗଲା । ଗୋଟିଏ ପାଖରେ ପ୍ରକାଣ୍ଡ ବଗିଚା । ବିଲାତି ଚାକୁଣ୍ଡା ଆଉ ପଞ୍ଚଲାର ଗଛ ବୋଲି ଶୁଣିଲି । ଡାହାଣ ପାଖରେ ରାସ୍ତାଠାରୁ ଉଚ୍ଚାରେ ବଡ଼ ବଡ଼ ବାଡ଼ ବେଢ଼ାହୋଇ ପାନବରଜ ପରି ହୋଇଛି । ଏଇଠି ଅଙ୍ଗୁର ଲତା ଲାଗିଛି । ଅଙ୍ଗୁରର ବେଳ ହୋଇନଥାଏ । କିଛି ବାଟ ପରେ ଆରୟାନା କମ୍ପାନୀର କର୍ମଚାରୀମାନଙ୍କର କୋଠି ଏବଂ କମ୍ପାନୀର ଅଫିସ୍ ପଡ଼ିଲା । ସେପରି ସୁଦୃଶ୍ୟ ଘର ନୁହେଁ । ଗୋଟାଏ ବଡ଼ ଖଳାବାଡ଼ି ଭଳି ଦିଶୁଛି । ଦୁଇଟା ଟିଣ ଦ୍ଵାର ଲାଗିଥିବା ଗେଟ୍ । ଏସବୁ ଭଡ଼ାଘର । ଆଉ କେଉଁଠାରେ କମ୍ପାନୀ ଆପଣାର କୋଠା ତିଆରି କରୁଛି ।

 

ମିଷ୍ଟର ମହାପାତ୍ର ବା ଶ୍ରୀମାନ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚିଲୁ । ୱାଲି ଆପଣ ଘରେ ଥାନ୍ତି-। ତାଙ୍କ ଘର କାବୁଲ ସହରରେ । ପୂର୍ଣ୍ଣଚନ୍ଦ୍ର ଏହି ଘରେ ଏକୁଟିଆ ଥିଲେ । ତାଙ୍କର ଆଉ ଦୁଇଜଣ ସାଥି କର୍ମଚାରୀ ଯାଇଥାନ୍ତି ଉଡ଼ାଜାହାଜରେ । ଆଗରୁ ଯାହା ଶୁଣିଥିଲି ଯେ ଆଫଗାନିସ୍ଥାନରେ ପେଟ୍ରୋଲର ଅଭାବ ପଡ଼ିଛି ସେ କଥା ସତ ବୋଲି ଜଣାପଡ଼ିଲା । ଅନେକ ହଜ୍‍ ଯାତ୍ରୀ ସେବେ ମଧ୍ୟ ଅପେକ୍ଷା କରିଛନ୍ତି । ୱାଲି ଏବଂ ପୂର୍ଣ୍ଣଚନ୍ଦ୍ର ମତେ କହିଲେ,"ଆପଣ ଯଦି ଦୁଇ ତିନିଦିନ ରହନ୍ତେ ଏବଂ ମଧ୍ୟପ୍ରାଚ୍ୟକୁ ଯଦି ଆପଣଙ୍କର ପାସପୋର୍ଟ ଥାନ୍ତା ତେବେ ଆମେ ଆମରି ଉଡ଼ାଜାହାଜରେ ଆପଣଙ୍କୁ ବସୋରା, ବାଗଦାଦ୍ ଏବଂ ଲୋହିତ ସାଗର ପର୍ଯ୍ୟନ୍ତ ବୁଲାଇନେଇ ଫେରି ଆସନ୍ତୁ । ଏଇ ଦୁଇଟା ଯଦିରୁ କୌଣସିଟି ଅତିକ୍ରମ କରିବା ମୋର ସାଧ୍ୟାତୀତ ଥିଲା ପ୍ରଥମ କଥା ଆମେ ତା ଆରଦିନ ସକାଳୁ କାବୁଲ ଛାଡ଼ିବା ନିଶ୍ଚିତ ଏବଂ ଦ୍ଵିତୀୟ କଥା ମୋର ମଧ୍ୟପ୍ରାଚ୍ୟ ପାଇଁ ପାସପୋର୍ଟରେ ମଧ୍ୟ ବ୍ୟବସ୍ଥା ନାହିଁ । କେବଳ ତୁର୍କୀ ଆଉ ସାଉଦିଆରବ ଦେଶକୁ ଯିବାର ପାସପୋର୍ଟରେ ଅଛି ।

 

ପୂର୍ଣ୍ଣଚନ୍ଦ୍ର ମୋତେ କେତେ ପ୍ରକାରର ବିଭିନ୍ନ କୋଳି ଓ ଫଳରସ ପିଇବାକୁ ଦେଲେ । ଖାଇବା ପାଇଁ ନାନା ଜିନିଷ ଆଣିଲେ । ମୁ ଠିକ୍‍ ସେତିକିବେଳେ ଖାଇଥିଲି । ମୋତେ ଦୁଇ ତିନିଟା ପ୍ୟାକେଟ ଆମେରିକା ସିଗାରେଟ ଦେଲେ ଏବଂ କହିଲେ, "ସୋଭିଏତ୍‍ରୁ ଫେରିଲାବେଳକୁ ତ ଏହି ବାଟରେ ଆସିବେ, ସେତେବେଳେ ଏଇଠୁ ଗୋଟାଏ ସୁନ୍ଦର ଗାଲିଚା ନେଇଯିବେ ।" ସେମାନଙ୍କୁ ମୁଁ କହିଥିଲି, "କେଉଁ ବାଟରେ ଫେରିବି ଠିକଣା ନାହିଁ ।" ସେ ବାଟରେ ଫେରିପାରିଲି ନାହିଁ । ତେଣୁ ୱାଲି ଏବଂ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରିଲି ନାହିଁ ।"

 

ପୂର୍ଣ୍ଣଚନ୍ଦ୍ରଙ୍କଠାରୁ ବିଦାୟ ନେଇ ଫେରିଲି । ୱାଲି ମୋ ସାଙ୍ଗରେ ହୋଟେଲ ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଲେ । ଫେରିଲାବେଳକୁ ଖରା ତେଜ ମଧ୍ୟ କମି ଆସିଥାଏ । ପାଖରେ ଟାଙ୍ଗା ନଥିଲା । ଦୁହେଁ ରାସ୍ତାରେ ଚାଲି ଚାଲି କଥାଭାଷା ହୋଇ ଫେରିଲୁ ।

***

 

ସାତ

 

ପାକିସ୍ଥାନ ସହିତ ଆଫଗାନିସ୍ଥାନର ଝଗଡ଼ା ବିଷୟରେ ୱାଲିଙ୍କୁ ପଚାରିଲି । ସେ ଟିକିଏ ଆଗକୁ ପଛକୁ ଚାହିଁଲେ । ପଛରୁ ଗୋଟାଏ ବିରାଟ ଆମେରିକାନ ଗାଡ଼ି ତୀବ୍ରବେଗରେ ଆମକୁ ଟପି ଚାଲିଗଲା । ମୋର ଅଭ୍ୟାସ ଅନୁସାରେ ମୁଁ ବାଁ ପାଖରେ ରହିବାକୁ ଯାଉଥିଲି । କିନ୍ତୁ ୱାଲି ମତେ ଡାହାଣପଟରେ ରଖିନେଲେ । ଅଭ୍ୟାସ ନଥିବାରୁ ଡାହାଣକୁ ମାଡ଼ି ବାଟ ଚାଲିବା ବଡ଼ ଅଡୁଆ ଲାଗୁଥାଏ । ପରେ ଫିନଲାଣ୍ଡରେ ଚାଲିଲାପରେ ହିଁ ଅଭ୍ୟାସ ପଡ଼ିଯାଇଥିଲା ।

 

ୱାଲି ଆଗକୁ ପଛକୁ ଚାହିଁବାର କାରଣ ଆଫଗାନ ସରକାରର ଭୟ ନୁହେଁ । ଭୟ ଆମେରିକା, ବିଲାତି ଏବଂ ଅନ୍ୟାନ୍ୟ ସରକାରମାନଙ୍କର । ସାମରିକ କାରଣରୁ ଆମେରିକା ଆଜି ପୃଥିବୀର କୂଟନୀତିର ଚରାଭୂଇଁ ହୋଇଯାଇଛି । ତେଣୁ ଏଠାରେ ବିରାଟ ଦୂତାବାସସବୁ ଗଢ଼ିଉଠିଛି । ସୋଭିଏତ୍ ଦେଶ, ଚୀନ, ପାକିସ୍ତାନ, ଭାରତ (କାଶ୍ମୀର), ଇରାନ ପ୍ରଭୃତି ସହିତ ସୀମାର ନିକଟବର୍ତ୍ତୀ ଏହି ଦେଶ । ତେଣୁ ଆଜି ଏକ ପ୍ରଧାନ ଘାଟିଜାଗାରେ ପରିଣତ ହୋଇଛି । ପାକିସ୍ତାନ ଏବଂ ଆଫଗାନିସ୍ଥାନର ଝଗଡ଼ା ଏହି ଘାଟିଜାଗାକୁ ଗୋଟାଏ ନିର୍ଦ୍ଦିଷ୍ଟ ଦିଗରେ ଚଳାଇବା ପାଇଁ ଚେଷ୍ଟାକରି କରାଯାଇଥିଲା ।

 

ପାଖତୁନ୍ ଅଞ୍ଚଳ ଚିରକାଳ ଏକ ଅରାଜକ ଅଞ୍ଚଳ ହୋଇ ରହିଥିଲା ଅର୍ଥାତ ଏହା ଥିଲା Noman’s land । ଏବେ ଏହାକୁ ପାକିସ୍ତାନ ଆୟତ୍ତରେ ରଖିବାକୁ ଚାହିଁଛି । ଆଫଗାନିସ୍ଥାନ ଭିତରେ ପାଖ୍‍ତୁନଙ୍କ ପାଇଁ ମଧ୍ୟ ଗୋଟାଏ ମମତା ଅଛି । ଆଫଗାନମାନେ ପସ୍ତୁ ଭାଷା କହନ୍ତି । କିନ୍ତୁ ପାଖ୍‍ତୁନମାନଙ୍କର ଆତ୍ମନିୟନ୍ତ୍ରଣ ଆନ୍ଦୋଳନ ଚଳିଲେ ତହିଁରୁ ଆନ୍ତର୍ଜାତିକ ସାମ୍ରାଜ୍ୟବାଦୀମାନେ ଲାଭ ଉଠାଇବାକୁ ଚାହାନ୍ତି । କାରଣ ପାକିସ୍ତାନ ଆଉ ଆଫଗାନିସ୍ଥାନର କଳହରେ ଶାନ୍ତିରକ୍ଷା କରିବାକୁ ସେମାନେ ମିଳିତ ଜାତିସଂଘ ତରଫରୁ ଆସିବେ । ପାଖତୁନ ଅଞ୍ଚଳକୁ ବାହାର ଦୁନିଆରୁ ବିଚ୍ଛିନ୍ନକରି ତାକୁ ଏକ ସ୍ୱତନ୍ତ୍ର ସୁରକ୍ଷିତ ଅଞ୍ଚଳ ତିଆରି କରିଦେଲେ ମଧ୍ୟପ୍ରାଚ୍ୟର ଇସ୍ରାଇଲ ପରି ଭାରତ ଏବଂ ଚିନ ସୀମାନ୍ତବର୍ତ୍ତୀ ଏକ ସାମରିକ ଘାଟିଜାଗାରେ ସାମ୍ରାଜ୍ୟବାଦୀଙ୍କର ଆସ୍ଥାନ ସବଳ ହେବ । କାବୁଲରେ ପାକିସ୍ତାନର ପତାକା ଯିଏ ପୋଡ଼ିଥିଲେ ସେ ପ୍ରକୃତରେ ଜଣେ ଦେଶପ୍ରେମୀ ଆଫଗାନ ନୁହନ୍ତି । ପାକିସ୍ତାନ ପତାକା ପୋଡ଼ି ଗୋଟାଏ କାଣ୍ଡ ଭିଆଇବା ଉଦ୍ଦେଶ୍ୟରେ ସେ ଏକ ସଙ୍କଟ ମୁହୂର୍ତ୍ତରେ ଏଭଳି କରିଥିଲେ । କିନ୍ତୁ ଏ କଥା କହିବାକୁ ମଧ୍ୟ ଆଫଗାନ ଲୋକ ନିଜର ତଥାକଥିତ ସ୍ୱାଧୀନ ରାଜଧାନୀରେ ଆଗକୁ ପଛକୁ ଚାହେଁ ।

 

ଆଫଗାନିସ୍ଥାନର ଉନ୍ନତି ପାଇଁ କଣ କୌଣସି ବାଟ ନାହିଁ ? ୱାଲି କହିଲେ,"ମୁଁ ରାଜନୀତିକ ନୁହେଁ । ରାଜନୀତି ଯେଉଁମାନେ କରୁଛନ୍ତି ସେମାନେ ଆମ ଦେଶରେ ନାହାନ୍ତି କହିଲେ ଚଳେ । ହିନ୍ଦୁକୁଶର ଗଳିତ ତୁଷାରକୁ ବାନ୍ଧି ଏଠାରେ ଜଳଭଣ୍ଡାର କରାଯାଇପାରନ୍ତା । ପାହାଡ଼ ଭିତରେ ସୁଡ଼ଙ୍ଗ ଖୋଳି ବହୁଦୂରକୁ ଏହି ପାଣି ନିଆଯାଇ ଫସଲ କରାଯାଇପାରନ୍ତା । ବହୁତ କଥା ମୁଁ ମନରେ ଆଲୋଚନା କରିଛି । ବିଦେଶରେ ପାହାଡ଼ ସେପଟେ ତାଜିକସ୍ଥାନର ଜଳବାୟୁ ବା ପାଣି ଆମଠାରୁ ଅଲଗା ନୁହେଁ । ସେମାନେ ଯାହା କରିପାରିଛନ୍ତି ତାହା ଆମେ ବି କରିପାରନ୍ତୁ । ତା ଛଡ଼ା ଆମର ମାଟିତଳେ ପେଟ୍ରୋଲ ରହିଛି ବୋଲି ନିର୍ଦ୍ଦିଷ୍ଟ ପ୍ରମାଣ ମିଳୁଛି । ଆମର ତ ଏଠାରେ ସର୍ଭେ ହୋଇନାହିଁ । କିନ୍ତୁ ଆମର ମାଟିତଳେ ଯେଉଁ ଶିଳାର ଆସ୍ତରଣ ଅଛି, ସେଥିରେ ଯେ ପେଟ୍ରୋଲ ରହିଛି ଏ କଥା ସୋଭିଏତ୍‍ର ଭୂତତ୍ତ୍ୱବିତ୍‍ମାନେ ଜାଣିଛନ୍ତି ।"

 

ମୁଁ ପଚାରିଲି, "ତେବେ ନ ହେଉଛି କାହିଁକି ?" ୱାଲିଙ୍କଠାରୁ ଶୁଣିଲି, ଏଥିପାଇଁ ଆଫଗାନିସ୍ଥାନର ସମ୍ବଳ ନାହିଁ, ପେଟ୍ରୋଲ ଖଣିର କାମପାଇଁ ଯନ୍ତ୍ରପାତି କିଣିବାକୁ ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ । ସୋଭିଏତ୍‍ ଦେଶ ଏଥିରେ ସାହାଯ୍ୟ କରିବାକୁ ପ୍ରସ୍ତୁତ । କିନ୍ତୁ ଆଫଗାନିସ୍ଥାନ ସରକାର ଆମେରିକା ଭୟରେ ତାହା ଗ୍ରହଣ କରିବାକୁ ସାହସ କରୁନାହାନ୍ତି । ଏଣେ ଆମେରିକା ବା ବିଲାତ ଉଭୟ ମଧ୍ୟ ପରସ୍ପର ଛକାପଞ୍ଝା ହୋଇ ରହିଛନ୍ତି । ସାଉଦି ଆରବ ଦେଶରେ ଆମେରିକା ପେଟ୍ରୋଲ ଖଣି ଦଖଲ କଲାଦିନୁ ବିଲାତ ଉସମାନ ଏବଂ ମସକାଟ ଦୁଇଟି ଅଞ୍ଚଳକୁ ଖୁବ୍ ଜୋରରେ ଧରିଛି । ଏଥିପାଇଁ ଆନ୍ତର୍ଜାତିକ କୋର୍ଟ ପର୍ଯ୍ୟନ୍ତ ମାମଲା ତ ଗଲାଣି । ତେଣୁ ଆଫଗାନିସ୍ଥାନରେ କେହି କାହାକୁ ବାଟ ଛାଡ଼ୁନାହାନ୍ତି । ଆଫଗାନ ସରକାର ଜାଣନ୍ତି ପାରସ୍ୟର ଦଶା ଯାହା ହେଲା । ତେଣୁ ବିଲାତ ବା ଆମେରିକା କମ୍ପାନୀ ଆଫଗାନିସ୍ଥାନରେ ପହଁଚିଲେ ସରକାରଙ୍କ ଅବସ୍ଥା କାହିଲ ହେବ । ତେଣୁ କିଛି ହୋଇ ପାରୁନାହିଁ ।

 

କାବୁଲ ହୋଟେଲରେ ଆସି ଦେଖିଲୁ ସବୁତକ ଭାରତୀୟ ପ୍ରତିନିଧି ଭାରତୀୟ ଦୂତାବାସକୁ ବାହାରି ଯାଇଛନ୍ତି । ତେଣୁ ମୁଁ ଏକୁଟିଆ । ୱାଲି ମତେ ଛାଡ଼ି ବାହାରିଯିବାକୁ ବସିଥିଲେ । ତାଙ୍କ ମନରେ ଗଭୀର କ୍ଷୋଭ ଏବଂ ଦୁଖଃର ଭାରା । ଯେପରି ଜଣେ ଆତ୍ମୀୟ ଲୋକଙ୍କୁ ସେ ଆପଣାର ଘରକୁ ଡାକିଆଣି କୌଣସି ପରିଚର୍ଯ୍ୟା କରିପାରୁ ନାହାନ୍ତି । ଆଫଗାନିସ୍ଥାନର ଏହି କୁଳଦୀପଙ୍କୁ ଦେଖି ସେଦିନ ମୋର ପୂର୍ଣ୍ଣ ହୃଦ୍‍ବୋଧ ହେଲା ଯେ ଯେଉଁ ଦେଶ ୱାଲି ମହମ୍ମଦଙ୍କ ଭଳି ପୁତ୍ରକୁ ଜନ୍ମ ଦେଇପାରେ ତାହାର ଭବିଷ୍ୟତ ବିଷୟରେ ସନ୍ଦିହାନ ହେବାର କିଛି ନାହିଁ ।

 

ଭାରତ ପରି ଏହି ଆଫଗାନିସ୍ଥାନରେ କୌଣସି ବଡ଼ କୀର୍ତ୍ତି ବା ସୌଧ ନଥିଲା । ଗାଲିଚା ବୁଣୁଥିବା ଲୋକଙ୍କର ଘରକୁ ଯିବାର ସୁବିଧା ନାହିଁ । ତେଣୁ ତାହାବି ହେଲା ନାହିଁ । କାବୁଲରେ ଗୋଟିଏ ବହୁପୁରାତନ ଐତିହାସିକ ସ୍ମୃତି ସମ୍ବଳିତ ମିଉଜିୟମ ଅଛି ବୋଲି ଶୁଣିଥିଲି । ଏହି ମିଉଜିୟମରେ ଆଲେକଜାଣ୍ଡାରଙ୍କର ବହୁପୂର୍ବର ଅନେକ ଐତିହାସିକ ତଥ୍ୟ, ବହୁତ ଖୋଦିତ ଲିପି ଏବଂ ଆର୍ଯ୍ୟମାନଙ୍କର ପ୍ରାଚୀନ ସାଚିର ଚିତ୍ର ସନ୍ନିବିଷ୍ଟ ହୋଇଛି । କିନ୍ତୁ ସେତେବେଳକୁ ମିଉଜିୟମ ବନ୍ଦ ହୋଇଯାଇଥିଲା । ତେଣୁ ସେଆଡ଼କୁ ମଧ୍ୟ ଯାଇପାରିଲି ନାହିଁ ।

 

କିନ୍ତୁ ସଦାଶୟ ଯୁବକ ସହଜରେ ହାରମାନିବା ଲୋକ ନ ଥିଲେ । ଗୋଟିଏ ଟଙ୍ଗାରେ ପୁଣି ଚଢ଼ି ଆମ୍ଭେମାନେ ଚାଲିଲୁ । ଆରୟାନା ଉଡ଼ାଜାହାଜ କମ୍ପାନୀ ଅଫିସ୍ ପାଖରେ କୁହାପୋଛାକରି ଖଣ୍ଡିଏ ପୁରୁଣା ମୋଟରଗାଡ଼ି ସେ ଯୋଗାଡ଼ କଲେ । ଆଉ ତାପରେ କହିଲେ ଚାଲନ୍ତୁ । ଏଠାରୁ ପ୍ରାୟ ୪/୫ ମାଇଲ ବାଟ ଯିବାକୁ ହେବ । ସେଇଠି ପାହାଡ଼ ଉପରେ ବାବରଙ୍କର ସମାଧି । ଭାରତରୁ ଆସି ଏତକ ଦେଖି ଯାଆନ୍ତୁ । ଯଦିବା ଏହି ସମାଧି ତାଜମହଲ ନୁହେଁ କିମ୍ବା କୌଣସି ଭାରତୀୟ ପ୍ରାଚୀନ କୀର୍ତ୍ତିଠାରୁ କୌଣସି ଗୁଣେ ଭଲ ନୁହେଁ ବରଂ ଅତି ସାଧାରଣ ତଥାପି ଏହାରି ତଳେ ଭାରତର ପ୍ରଥମ ମୋଗଲ ବାଦଶାହ ଶେଷ ବିଶ୍ରାମ କରିଛନ୍ତି । ତାହାହିଁ ଦେଖାଯାଉ । ବନ୍ଧୁର ପଥ ବାହି ଆମ୍ଭେମାନେ ତୁଷାରକିରୀଟ ହିନ୍ଦୁକୁଶ ଅଭିମୁଖରେ ମୋଟର ଛୁଟାଇଲୁ । ଦିନ ରତ ରତ ହୋଇ ଆସିଥାଏ ।

 

ଭାରତର ପ୍ରଥମ ମୋଗଲ ସମ୍ରାଟ ବାବର ଭାରତ ଜୟ କରି ବେଶିଦିନ ସମ୍ରାଟ ହୋଇ ରହିପାରିଲେ ନାହିଁ । ଚାରି ପାଞ୍ଚବର୍ଷ ଶାସନ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ହୁମାୟୁନଙ୍କର ସାଙ୍ଘାତିକ ବେମାର ହେଲା । ସବୁପ୍ରକାର ଚିକିତ୍ସା ବ୍ୟର୍ଥ ହେଲା । ଆପଣାର ପୁତ୍ରର ଜୀବନରକ୍ଷା ପାଇଁ ଧର୍ମନିଷ୍ଠ ଏବଂ ଅଟଳ ବିଶ୍ୱାସୀ ବାବର ହୁମାୟୁନଙ୍କର ଶେଜ ଚାରିପାଖରେ ସାତଥର ବେଢ଼ା ବୁଲି ତାଙ୍କର ଜୀବନ ବିନିମୟରେ ପୁତ୍ରର ଜୀବନ ରକ୍ଷା କରିବାକୁ ଖୋଦାଙ୍କୁ ପ୍ରାର୍ଥନା କରିଥିଲେ । ତାହାପରେ ହୁମାୟୁନ ଆରୋଗ୍ୟଲାଭ କରିବାକୁ ଲାଗିଲେ ଏବଂ ବାବର ଗୋଟିଏ ମୁସଲମାନ ମୁଲ୍ଲା ବେଶରେ ରାଜଧାନୀ ଦିଲ୍ଲୀ ଛାଡ଼ି ଆପଣାର ଜନ୍ମଭୂମି ଫରଗାନାଆଡ଼କୁ ବାହାରିଗଲେ । ବାଟଯାକ ଆପଣା କୋରାନ ବିକି ସେହି ପଇସାରୁ ବାବର ଆପଣାର ପଥଖର୍ଚ୍ଚ କରିପାରିଥିଲେ । ବାଟରେ ଯାଉଁଯାଉଁ କାବୁଲଠାରେ ବାବର ଦେହତ୍ୟାଗ କଲେ । ଏଇଠି ତାଙ୍କର ସମାଧି ।

 

ପାହାଡ଼ର କଟିଦେଶରେ ନାନା ବୃକ୍ଷଲତାର ଉଦ୍ୟାନ ଭିତରେ ଖଣ୍ଡିଏ ଛୋଟ ସମାଧି ଦୂରରେ ହିନ୍ଦୁକୁଶ ପର୍ବତମାଳା । ତାହାରି ବରଫଖଚିତ ଶୃଙ୍ଗରୁ ଓହ୍ଲାଇଆସିଛି ପାଦତଳର ପାହାଡ଼ଗୁଡିକ । କେତୋଟି ଝରଣାର ଜଳ ବାନ୍ଧି ଏଇଠି ବୃକ୍ଷଲତାର ଶ୍ୟାମାଳିମା ଛିଡ଼ା କରାଯାଇଛି । ଗୋଟିଏ ସାଧାରଣ ମୁସଲମାନର ସମାଧିପରି ଅଳ୍ପ ଉଚ୍ଚର ଗୋଟିଏ କପ୍ୟୁଲା ବା ଗମ୍ବୁଜ ଭଳି ଖିଲାଣ ତଳେ ଗୋଟିଏ ଉଚ୍ଚ ବେଦିକାରେ ବାବରଙ୍କ କଫିନ୍ ରହିଛି । ସମାଧି ଉପରେ ପାର୍‍ସୀ ଭାଷାରେ ବାବରଙ୍କର ଜନ୍ମମୃତ୍ୟୁର ବିବରଣୀ ଲେଖାଯାଇଛି ଲେଖାଗୁଡ଼ିକ ଅସ୍ପଷ୍ଟ ହୋଇଯାଇଛି । ସମାଧି ନିକଟରେ ସେହି ମୁହଁସଞ୍ଜ ଅନ୍ଧାରରେ ଆମେ ଦୁଇଜଣ ଥିଲୁ ୱାଲି ମହମ୍ମଦ ଏବଂ ମୁଁ । ବୋଧହୁଏ ଭାରତ ବିଜୟୀ ବାବର ଏବଂ ବହୁଗୁଣ ସମନ୍ୱିତ ଏହି ଇତିହାସର ମହିମ୍ନ ପୁରୁଷଙ୍କର ଅତି ସାଧାରଣ ଶେଷ ଶଯ୍ୟାର ପ୍ରଭେଦ କଥା ଆମେ ଦୁହେଁ ଭାବୁଥିଲୁ । ବରଫର ଧାରେ ଧାରେ ଆମ୍ଭେମାନେ ସେହି ଗମ୍ଭୀର ଅଞ୍ଚଳରୁ ବିଦାୟ ନେଇ ଆସିଲୁ ।

***

 

ଆଠ

 

ୱାଲି ଫେରିଯାଇଛନ୍ତି । କିନ୍ତୁ ଆଫଗାନିସ୍ଥାନର ଆଗାମୀ ମନୁଷ୍ୟର ଗୋଟାଏ ଚିତ୍ର ସେ ମୋ ମନରେ ଛାଡ଼ି ଦେଇଛନ୍ତି । ୱାଲିଙ୍କୁ ଦେଖି ମୁଁ ବୁଝିଛି, ଆଫଗାନିସ୍ଥାନର ଭବିଷ୍ୟତ ଏଭଳି ଯୁବକ ସନ୍ତାନ ଥିଲେ ଅନ୍ଧକାର ପଡ଼ିବ ନାହିଁ । ତାଙ୍କରିପରି ଯୁବକ ଯେପରି ତାକ୍ତି ସୁଲେମାନ ପାହାଡ଼ର ସେପଟେ ସାରା ସଂସାରକୁ ଜାଗ୍ରତକରି ଛିଡ଼ା ହୋଇଛନ୍ତି । ଗୋଟିଏ ଦିନ କାବୁଲ ରହଣିରେ ଏସିଆର ନିଦ୍ରିତା ରାଜକନ୍ୟାର ସୁଯୋଗ୍ୟ ଏବଂ ସଚେତନ ଏହି ଯୁବକ ସନ୍ତାନ ପ୍ରକୃତରେ ଆଫଗାନିସ୍ଥାନର ଅନନ୍ତ ରହସ୍ୟ ମୋ ଆଗରେ ଉଦ୍‍ଘାଟନ କରି ଦେଇଛନ୍ତି ।

 

ତେଣୁ ଆସିବା ବାଟରେ ଗୋଟାଏ ଚଟିଘରଭଳି ଏହି କାବୁଲ ମୋ ଆଖିରେ କେବଳ ଏକ କୌତୂହଳଦ୍ୟୋତକ ସଂସାର ହୋଇ ରହିଲା ନାହିଁ । ମୁଁ ଭାବିଲି ଏଥିରେ ୱାଲିଙ୍କର ଦେଖା ମିଳିଲା । ଆଉ କିଛି ହୁଏତ ଆବିଷ୍କୃତ ହୋଇପାରନ୍ତା । ଗୋଟିଏ ଦିନ; ରାତି ପାହିଲେ ଆମେ ତ ଚାଲିଲୁ । ତେଣୁ ଏହି କେତେ ଘଣ୍ଟା କିପରି ଆବିଷ୍କାରରେ କଟାଯାଇପାରେ ।

 

ଆମ ଭିତରୁ ଅନେକ ଭାବିଥିଲେ ଆଫଗାନିସ୍ଥାନରେ ଭଲ କାବୁଲି ଜୋତା ଶସ୍ତାରେ ମିଳିବ । କିନ୍ତୁ ଦେଖିଲୁ ତାହା ଠିକ୍ ନୁହେଁ । ଜୋତାର ନାଁ କାବୁଲି ଜୋତା କିନ୍ତୁ ତାହାର ଚମଡ଼ା, ତୁଳା, କଣ୍ଟା ଏବଂ ଯାବତୀୟ ଉପକରଣ ବିଦେଶୀ । ଜାଣିବାକୁ ପାଇଲୁ ଆଫଗାନିସ୍ତାନର କୃଷି ଉତ୍ପନ୍ନ ଖୁବ୍ ଅଳ୍ପ । ଅଙ୍ଗର ଏବଂ କାର୍ପେଟ ବିଦେଶକୁ ପଠାଯାଏ । ଆଉ ଯାବତୀୟ ଜିନିଷ ବିଦେଶରୁ ଅଣାଯାଏ । ଲୁଗାପଟା ଏବଂ ସାଜସରଞ୍ଜାମ କିଛି ଛାଡ଼ିଦେଲେ ସିଗାରେଟ ଛଡ଼ା ଆଉ କୌଣସି ବଡ଼ ମନୋହାରୀ ଜିନିଷର ବିପଣି ଦେଖିବାକୁ ପାଇଲୁ ନାହିଁ ।

 

ରାତିର ଡିନରଟା କାବୁଲିଙ୍କର ଜାତୀୟ ଖାଦ୍ୟଭଳି ତିଆରି କରିବାକୁ ଆମେ ଆଗରୁ କହିଥିଲୁ । କିନ୍ତୁ ସେହି ଡିନର ଏକାବେଳକେ ଖରାପ ହେଲା । ମନେହେଲା, ହୋଟେଲର ବବୁର୍ଚ୍ଚି କାବୁଲର ଖାନା ତିଆରିକରି ଜାଣେ ନାହିଁ । ପଲାଉ ଭଲ ସିଝି ନଥିଲା । ଯେଉଁ ମାଂସ ରାନ୍ଧିବାରେ ମୁସଲମାନମାନେ ବିଖ୍ୟାତ ସେଭଳି ମାଂସ ରନ୍ଧା ନଥିଲା । ବିରିୟାନୀ ଇତ୍ୟାଦି ମଧ୍ୟ ନଥିଲା । ଖାଲି ଇଉରୋପ, ଫରାସୀ ଏବଂ ସାହେବଖାନାର ଗନ୍ଧ କେବଳ ନାଁକୁ ମାତ୍ର କାବୁଲି । ତାହାଛଡ଼ା ସେଦିନ ପାଣି ପାଇପ୍ ଖରାପ ହୋଇ ସାରା ହୋଟେଲ ଏବଂ ସହରରେ ପିଇବା ପାଣି ନଥିଲା । ଆମେ ହୁଏତ ସୋଡ଼ା ବା ଲେମୋନେଡ଼ ପିଇବୁ କିମ୍ବା ଯେଉଁ ଦୁଇଧାର ପାଣି ରାସ୍ତା କଡ଼ ନଇନଯୋଡ଼ିରେ ଅଛି ସେହି ପାଣି ପିଇବୁ । ତେଣୁ ସେଦିନ ରାତିର ଖାଦ୍ୟ ସହିତ ପାନୀୟର ଅବ୍ୟବସ୍ଥା ଆମ ମନକୁ ସନ୍ତୁଷ୍ଟ କରିପାରିଲା ନାହିଁ ।

 

ରାତ୍ରି ଭୋଜନ ପରେ କାବୁଲର ବହୁଦୂରଯାଏ ପ୍ରଧାନ ରାସ୍ତାରେ ଦଳବାନ୍ଧି ବୁଲିବାକୁ ଯାଇଥିଲୁ । ରାସ୍ତାକଡ଼ରେ ଗୋଟିଏ ଗୋଟିଏ ସରାଇ ଘର ବା ଛୋଟ ଚା ଦୋକାନରେ ସାନ ସାନ ଟେବୁଲ ଆଉ ବେଞ୍ଚରେ ବସି କାବୁଲି ଲୋକେ ଚାହା ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଉଥାନ୍ତି । ଆମ୍ଭମାନଙ୍କୁ ସର୍ବଦା ଏକଥା କୁହାଯାଇଥାଏ ଯେ କାବୁଲର ଜୀବିକା ଭିତରେ ଯୋଡ଼ିଏ ହେଉଛି ପ୍ରଧାନ–ବାଣିଜ୍ୟ ଏବଂ ଡକାୟତି । ଯେଉଁମାନେ ଡକାୟତି କରନ୍ତି ସେମାନେ ବାଣିଜ୍ୟ କରନ୍ତି । ଯେଉଁମାନେ ବାଣିଜ୍ୟ କରନ୍ତି ସମାନେବି ଡକାୟତି କରନ୍ତି । ପାହାଡ଼ ପର୍ବତର ଗିରିସଙ୍କଟ ଉପରେ ଜୀବନକୁ ପାଣିଛଡ଼ାଇ ବାଣିଜ୍ୟ କରିବାକୁ ବିଦେଶକୁ ଗଲାବେଳେ ନାନା ଦୁଃସାହସିକ କାର୍ଯ୍ୟ କରିବାକୁ ପଡ଼େ । ଆମ୍ଭମାନଙ୍କୁ ତେଣୁ ସତର୍କ କରାଯାଇଥାଏ ଯେ କାବୁଲି ସାଧାରଣ ଅପରିଚିତ ଲୋକଙ୍କ ସଙ୍ଗରେ ଭୋଜନପାନରେ ବା ଆଳାପ ବନ୍ଧୁତାର ବିପଦର ସମ୍ଭାବନା ଅଛି ।

 

ରାତିରେ ସାହରଟା ପରିକ୍ରମା କରିଦେଇ ଆମ୍ଭେମାନେ ହୋଟେଲକୁ ଫେରିଆସିଲୁ । କିନ୍ତୁ କେଉଁଠି କିପରି ଏହି ସହରଟାର କିଛି ମୋ ପାଇଁ ଗୋପନୀୟ ଏବଂ ରହସ୍ୟାବୃତ ପରି ମାନେହେଲା । ଆଉଥରେ କାବୁଲ ଆସିବି ନାହିଁ, ଏ କଥା ଭବିଷ୍ୟତବାଣୀ ପରି ମୋ ମନରେ ନାଚୁଥାଏ । ତେଣୁ ଏହାକୁ ପୂର୍ଣ୍ଣ ଭାବରେ ଦେଖିଯିବାକୁ ହେବ । ଏତକ ମନର ଭାବ ମୁଁ ମୋର ହୋଟେଲର ରୁମ୍ ସଙ୍ଗୀଙ୍କୁ କହିଲି । ସଂଗୀ ଜଣକ ଆସାମର ଲୋକ । ଚୌହାଟି ବିଶ୍ୱବିଦ୍ୟାଳୟରେ ପ୍ରଫେସର । ଆମେରିକାରୁ ଶିକ୍ଷକତାରେ (Education) ଡକ୍ଟର ଉପାଧି ପାଇଁ ଆସିଛନ୍ତି । ଭଲ ଗୀତ ଗାଆନ୍ତି । ତାଙ୍କୁ କହିବାରୁ ସେ ମତେ କହିଲେ ଯେ ସେ ଦିନଯାକ ବୁଲି କାବୁଲର ଅନେକ ରହସ୍ୟପୂର୍ଣ୍ଣ ଜନସମାଗମର ସ୍ଥାନ ଦେଖିଛନ୍ତି । ଏପରି ସ୍ଥାନରେ ରାତିରେ ଲୋକେ ଜମାହୋଇ ସାରାରାତି ଗାନବାଜଣା କରନ୍ତି–ପ୍ୟାରିସ୍ ବା ବିଲାତର ନାଇଟ କ୍ଲବ ଭଳି । ମୋର ଯଦି ଆପତ୍ତି ନଥାଏ ଆମେ ଦୁହେଁ ସେଠାକୁ ଗଲେ କିପରି ହୁଅନ୍ତା ? ଅଭିଜ୍ଞତା ପାଇଁ ଇଚ୍ଛାଥିଲେ ମଧ୍ୟ ନାଇଟ କ୍ଲବର ନାମ ଏବଂ ଧାରଣା ଯୋଗୁଁ ମୁଁ ଏଥିରେ ମଙ୍ଗିଲି ନାହିଁ ।

 

କିନ୍ତୁ ରାତି ପ୍ରାୟ ଗୋଟାଏ ହେବ । ଆମେ ଦୁହେଁ ଭଲକରି ଶୋଇନାହୁଁ । ଡକ୍ଟର (ମୋ ବନ୍ଧୁ) ବୋଧହୁଏ ଏକାକୀ ସେଠାକୁ ଯିବାକୁ ବିଚାର କରୁଛନ୍ତି ଏପରି ଅବସ୍ଥାରେ ତାଙ୍କୁ ନିଦ ଆସିଯାଇଛି, ଏତିକିବେଳେ ବେଶି ଦୂର ନୁହେଁ ଅଥବା ବେଶି ନିକଟ ନୁହେଁ ଏପରି ଗୋଟାଏ ସ୍ଥାନରୁ ମଧୁର ଏବଂ ପ୍ରାଣମତାଣିଆ ବାଦ୍ୟର ଝଙ୍କାର ବାଜି ଉଠିଲା । ଆମ ଦୁହିଁଙ୍କର ଅଲକ୍ଷ୍ୟରେ ଆମେ ଦୁହେଁ ଉଠିବସିଲୁ । ସେ ସେତେବେଳକୁ ତାଙ୍କର ଲୁଗାପଟା ପିନ୍ଧି ସାରିଲେଣି । ମୁଁ ମଧ୍ୟ କାଳବିଳମ୍ବ ନ କରି ବାହାରିପଡ଼ିଲି । ଦୁଆରମୁଁହରେ ଦୁଇଜଣଯାକ ପରସ୍ପର ସମ୍ମତି ବୁଝିନେଇ ସାରିଥାଉଁ । ନିଃଶବ୍ଦରେ ଆମ୍ଭେମାନେ ସେହି ବାଦ୍ୟନିନାଦିତ ରାତିରେ ବାହାରିପଡ଼ିଲୁ । ଆସିଲାବେଳେ ହୋଟେଲର ପୋର୍ଟର ଆମକୁ ଯିବାକୁ ବାରଣ କରୁଥିଲା, କିନ୍ତୁ ଆମେ ମାନିଲୁ ନାହିଁ । ଆମ୍ଭେମାନେ ଆସିଲାବେଳେ ଗୋଟିଏ କଥା ବିଷୟରେ ଜୋରଦେଇ ଅସିଥାଉଁ । ସଙ୍ଗରେ କେବଳ ଯୋଡ଼ିଏ ଲେଖା ଟଙ୍କାର ନୋଟ ଛଡ଼ା ଆଉ କିଛି ନେବା ନାହିଁ, ବାଶ୍ ସେତିକି ।

 

କାବୁଲ ରାସ୍ତାରେ ଚାଲିଥାଉଁ । ଗୋଟିଏ ନୁହଁ ବହୁତ ଚା ଖଟିରେ ବାଜା ବାଜୁଥାଏ । ରାସ୍ତାର ମଝିରେ ବିଦ୍ୟୁତ ଆଲୋକର ମାଳା ଦୁଇପଟରେ ରାସ୍ତା । ରାସ୍ତା ପରେ ନର୍ଦ୍ଦମା କିଛି ଦୂରରେ । କେନାଲ ହୁଡ଼ା ଘର ଭଳି ନର୍ଦ୍ଦମା ଗୁଡ଼ିକର ଉପରେ କାଠପଟା କିମ୍ବା ପଥର ପକାଇ ପାହାଚ ହୋଇଛି । ସେହି ପଥର ଉପରେ ଗଲେ ଚାହା ଦୋକାନଗୁଡ଼ିକ ପଡ଼େ ।

 

ଦୁଆରମୁହଁର ଡାହାଣପଟେ ଗୋଟିଏ ଉଞ୍ଚା ବେଦିଭଳି ଜାଗା–ଖୁବ୍ ଉଞ୍ଚା । ମାଟିର ବେଦି ଉପରେ ଖୁବ୍ ଘନ ଭାବରେ ଗାଲିଚା ବିଛା ହୋଇଛି । ଏହି ମାଟିର ବେଦିରେ କାନ୍ଥକୁ ଲାଗି ଦୋକାନର ଖାମିଦର କ୍ୟାସବାକ୍ସ ଏବଂ ବସିବାର ଜାଗା । ବାକିତକ ବେଦି ଉପରେ ହାରମନିଅମ୍, ବ୍ୟାଗ୍‍ପାଇପ୍ ଏବଂ କେତେଗୁଡ଼ିଏ ବିଚିତ୍ର ଆକାରର ତାରଯନ୍ତ୍ର । ତାରଯନ୍ତ୍ରର ବାଦ୍ୟ ହିସାବରେ ବିଶେଷ ବିଚିତ୍ରତା ବୋଧହୁଏ କିଛି ନଥିଲା କିନ୍ତୁ ଆକାରଗୁଡ଼ିକ ନାନାପ୍ରକାରର । ବେଦି ଉପରେ ପାଞ୍ଚଜଣ ଏ ପ୍ରକାର ବାଦ୍ୟବିକାଳି ବସି ଗୀତ ସହିତ ବାଦ୍ୟ ବଜାଉଥିଲେ ।

 

ବାଁ ପଟରେ କାନ୍ଥକୁ ଲାଗି ବେଞ୍ଚ ଏବଂ ଛୋଟ ଛୋଟ ଦୁଇଜଣିଆ ଟେବୁଲ । ଏହି ବେଞ୍ଚ ଉପରେ ନାନା ବୟସର ଏବଂ ବେଶଭୂଷାର ଆଫଗାନ ନାଗରିକ ଚାହା ପିଉଥାନ୍ତି ଏବଂ ଗୀତ ଶୁଣୁଥାନ୍ତି । କେତେକଙ୍କର ଚାହା ଶେଷ ହୋଇଛି । ଆଫଗାନି ଚିଲମରୁ ଧୂଆଁ ଟାଣି ଗୋଟିଏ ବା ଯୋଡ଼ିକଯାକ ଆଖି ବୁଜିଦେଇ ସେମାନେ ଧ୍ୟାନ ନିଶ୍ଚଳ ହୋଇ ରହିଛନ୍ତି । ବାଦ୍ୟର ତାଳରେ କେତେଜଣ ମୁଣ୍ଡ ହଲଉଛନ୍ତି ଏବଂ କେତେଜଣ ହାତରେ ତାଳ ଦେଉଛନ୍ତି । କିନ୍ତୁ ସେଇଠି କୌଣସି କୋଳାହଳ ଅଥବା ଅତି ଉତ୍ତରଳ ଉନ୍ମାଦନାର ଭାବ ଦେଖାଯାଉନଥାଏ ।

 

ଏଭଳି ଶାନ୍ତ ସମାହିତ ବାୟୁମଣ୍ଡଳ ଆମେ ଆଶା କରିନଥିଲୁ । ମୋର ସାଥି ଜଣକ ପ୍ୟାରିସ, ନିୟୁୟର୍କ ଏବଂ ଲଣ୍ଡନର ମଦିରାସିକ୍ତ ଉଦ୍‍ଭ୍ରାନ୍ତ ନୈଶ କ୍ଳବମାନ ଦେଖିଛନ୍ତି । ତାହାର ଭାରତୀୟ ରୂପ ମଧ୍ୟ ଭାରତର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି । କିନ୍ତୁ ରାତି ଗୋଟାକ ପରେ କାବୁଲ ଭଳି ପ୍ରାଚ୍ୟର ଏକ ରହସ୍ୟାବୃତ ଅଞ୍ଚଳରେ ଏପରି ଶାନ୍ତି ଆଉ ଏପରି ଶୃଙ୍ଖଳା ଆମେ ଲକ୍ଷକରି ଆଶ୍ଚର୍ଯ୍ୟ ହେଲୁ ।

 

ଆମ୍ଭେମାନେ ଘର ଭିତରେ ପ୍ରବେଶ କରିବାମାତ୍ରେ ବାତାବରଣ ଟିକିଏ ଚଞ୍ଚଳ ଏବଂ କୌତୂହଳମୟ ହୋଇଉଠିଲା । ଯେଉଁମାନେ ଧ୍ୟାନମଗ୍ନ ଥିଲେ ସେମାନେ ଆହୁରି ସଚେତ ହେଲେ-। ଦୁଆର ନିକଟରେ ଯେଉଁମାନେ ବସିଥିଲେ ସେମାନେ ଦୁଆର ପାଖ ଟେବୁଲ ଛାଡ଼ି ଆମକୁ ଜାଗା କରିଦେଲେ । ଯେପରି ମନେହେଲା, ସେମାନେ ଆମକୁ ଦେଖି ଯେତିକି ବିସ୍ମିତ ହେଲେ ସେତିକି କୁଣ୍ଠିତ ମଧ୍ୟ ହେଲେ ଯେପରି ସେମାନଙ୍କର ଏକ ପାରିବାରିକ ମିଳନ ଭିତରେ ଆମ୍ଭେମାନେ ବିଦେଶୀ ଆଗନ୍ତୁକ ପ୍ରବେଶ କରିଯାଇଚୁ ଏବଂ ସେମାନଙ୍କର ଗୋଟାଏ ବିଶ୍ରମ୍ଭ ନିଭୃତତାରେ ଆମ୍ଭମାନଙ୍କର କୌତୂହଳୀ ଆଖି ଆଘାତ କରିଦେଇଛି ।

 

ଆମ୍ଭେମାନେ ମଧ୍ୟ ଟିକିଏ ଅସୁସ୍ଥତା ବୋଧ କଲୁ । କିନ୍ତୁ ପ୍ରାୟ ମିନିଟକ ମଧ୍ୟରେ ସେମାନେ ଆମ୍ଭମାନଙ୍କର ଆଗମନର କାରଣ ଠଉରାଇ ନେଲେ । ସେମାନେ ନିଶ୍ଚିତ ହୋଇଗଲେ ଯେ ଆମ୍ଭେମାନେ ସେମାନଙ୍କର ସାମାଜିକ ଜୀବନରେ ଯୋଗ ଦେବାକୁ ଚାହୁଁ । ଆମ୍ଭେମାନେ ଶାନ୍ତିର ପ୍ରତିନିଧିଦଳ । ବିଭିନ୍ନ ଦେଶର ସଂସ୍କୃତି ଏବଂ ସାମାଜିକ ଜୀବନ ପ୍ରତି ଶ୍ରଦ୍ଧା ଏବଂ ଆନ୍ତରିକତା ଆମର ଗୋଟିଏ ପ୍ରଧାନ ବିଶେଷତ୍ୱ । ଏ କଥା ସେମାନଙ୍କୁ ଆମ୍ଭେମାନେ ବୁଝାଇ ନାହୁଁ । କିନ୍ତୁ ଗୋଟିଏ ଦୁଇଟା ମିନିଟ ଭିତରେ ସେମାନେ ଆମକୁ ଆପଣାର କରିନେଲେ ।

 

ଛୋଟ ଛୋଟ ଚାହାର ପିଆଲାରେ ଧଳା ଧଳା ଖଇ ଆସି ଥୁଆ ହେଲା । ଖଇଗୁଡ଼ିକ ବାଜରା ବା ମକା ଭଜା ଖଇ । ତାହା ଚିନିରେ ପାଗ ହୋଇଛି । ବେଶ୍ ମିଥହ, ସେହି ଖଇ ଖାଇ, ନାଲି ନୀଳ ଫୁଲ ପଡ଼ିଥିବା ସାନ ସାନ କପ୍‍ରୁ ଚା ପିଇଲୁ । ଏ ଚାହା ଆମ ଭାରତୀୟ ଚାହା ନୁହେଁ-। ଏହା ଗୋଟିଏ ପ୍ରକାରର ଚାହା ଯାହାକୁ ଇଂରାଜୀରେ ଶାଗୁଆ ଚାହା କୁହନ୍ତି । ଚୀନ୍ ଦେଶରେ ଏହି ଚାହା ଆମଦାନୀ ହୁଏ । ଆଫଗାନମାନେ ଏହି ଚାହାର କଷାୟରେ ଚିନି ବା ଦୁଧ କିଛି ନ ମିଶାଇ ଖାଲି ସେଭଳି ଖାଆନ୍ତି । ପରେ ତାଜକିସ୍ତାନ ଏବଂ ଉଜବେକିସ୍ଥାନରେ ମଧ୍ୟ ଏହି ଚାହା ଖାଇବାକୁ ମିଳିଥିଲା । ଏହାକୁ ରୁଷ୍ ଭାଷାରେ 'ଚ୍ଚିଲୋନେ' (ଶାଗୁଆ) ବୋଲି କହନ୍ତି ଏବଂ ଆମର ଚିରାଚରିତ ଚାହାକୁ 'ଚୂର୍ଣ୍ଣେ' (କଳା) ବୋଲି କହନ୍ତି ।

 

ଆମ୍ଭମାନଙ୍କୁ ସେମାନେ ଆଉ ହୋଟେଲରେ ଖାଉଥିବା ଗ୍ରାହକ ଭଳି ଦେଖୁନଥିଲେ । ସମୁଦାୟ ନାଗରିକ ମେଳାରେ ଆମେ ଅତିଥି ହୋଇଗଲୁ । କିଏ ଜଣେ ଆସି ସିଗାରେଟ ଗୋଟାଏ ପ୍ୟାକେଟ୍ ଥୋଇଲେ । କିଏ ଗୋଟାଏ ଦିଆସିଲି । କେହି ଆଣି ପୁଣି ଆଉ ଗୋଟାଏ ଗୋଟାଏ ପ୍ଲେଟରେ ବେଶ୍ ରୁଚିକର ଖଇ ଥୋଇଲେ ଏବଂ ତାପରେ ତୁହାକୁ ତୁହା ଆସିଲା ଅଳ୍ପ ଆମିଷ ଗନ୍ଧ, ବହଳିଆ, ନୀଳ ଏବଂ ହଳଦିଆ ବର୍ଣ୍ଣର ଚାହା । ଗୋଟିଏ ମାତ୍ର ବିଜୁଳି ଆଲୁଅର ବଲ୍‍ବ ବଦଳରେ ସମସ୍ତ ଦୋକାନ ଆଲୋକିତ କରି ଜଳିଉଠିଲା ଅନେକଗୁଡ଼ିଏ ବଲ୍‍ବ ।

 

ସେ ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ହିଁ ଚାଲିଥାଏ । ଆମ ଆସିବା ଭିତରେ ଗାନ ବନ୍ଦ ହେଇଯାଇଥାଏ । କିପରି ସେହି ଗାନଟା ଆରମ୍ଭ କରାଇବୁ ଏବଂ ଆଫଗାନିସ୍ଥାନ ବନ୍ଧୁମାନଙ୍କର ଏହି ଅଯାଚିତ ଆତିଥ୍ୟର ଋଣ ବେଶି ନ ବଢ଼ାଇବୁ ଏ ଚିନ୍ତାରେ ଆମ୍ଭେମାନେ ପକେଟରୁ ଦୁଇ ଟଙ୍କିଆ ନୋଟ୍ ବାହାରକରି ହୋଟେଲର ମାଲିକଙ୍କର ବେଦି ନିକଟକୁ ବାହାରିଗଲୁ । ସେଠାରେ ମୋର ସାଥି ତାଙ୍କର ଅଭିଜ୍ଞତାପୂର୍ଣ୍ଣ ଇସାରା ଏବଂ ଭାଷାରେ ବୁଝାଇଲେ ଯେ ଆମ୍ଭେମାନେ ଗୀତ ଶୁଣିବାକୁ ଆସିଛୁ । ସେଠାରେ ସମବେତ ନାଗରିକମାନଙ୍କର ଅଭ୍ୟର୍ଥନାରେ ସେମାନଙ୍କୁ ଧନ୍ୟବାଦ ଦେଉଛୁ । ଆମ୍ଭମାନଙ୍କୁ ସେମାନଙ୍କର ଭାଷା ଜଣା ନ ଥିଲେ ମଧ୍ୟ ଆମେ ତାଙ୍କ ଭିତରୁ ଜଣେ ଆଫଗାନ ଆଉ ଭାରତୀୟ ଭାଇ ଭାଇ ।

 

ଏସବୁ କଥାବାର୍ତ୍ତାରେ ବେଶି କିଛି ଫଳ ଫଳିଲା ନାହିଁ । କିନ୍ତୁ ଯେତେବେଳେ ମୋର ସୁମିଷ୍ଟ କଣ୍ଠ ସଙ୍ଗୀତଜ୍ଞ ସାଥି ଗୋଟିଏ ଗୀତ ଆରମ୍ଭ କଲେ ଏବଂ ନିଜେ ହାରମୋନିୟମ୍ ଧରି ବଜାଇବାକୁ ଲାଗିଲେ । ଉପସ୍ଥିତ ଆଫଗାନ ନାଗରିକଙ୍କ ଭିତରେ ତୁମୁଳ ଉଲ୍ଲାସ ଏବଂ ସାଧୁବାଦ ଶୁଣାଗଲା ଏବଂ ତାପରେ ସମସ୍ତ ସମ୍ଭ୍ରମ ଆଉ ଅପରିଚୟର ବନ୍ଧ ଭାଙ୍ଗିଗଲା । ଗୋଟିକପରେ ଗୋଟିଏ ଆଫଗାନ ଚଉକିରୁ ଉଠି ଗୀତ ଗାଇବାକୁ ଲାଗିଲେ । ବାଦ୍ୟଯନ୍ତ୍ରର ଛନ୍ଦ ବା ବେଛନ୍ଦର ବିଚାର ରହିଲା ନାହିଁ । ସମସ୍ତେ ଯେପରି ଏହି ଅଦ୍ଭୁତ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲେ । ଯେପରି ସାରା ଗନ୍ଧର୍ବ ପୁରୀରେ ରାତ୍ରି ପାହିଗଲା । ସେଭଳି ଅସଂସ୍କୃତ, ଅବିନ୍ୟସ୍ତ ପଦାବଳୀର ସ୍ରୋତ ଜଣେ ଜଣେ କିମ୍ବା ଦଳେ ଦଳେ ଗାଇବାକୁ ଲାଗିଲେ । ଗୀତ ବା କଳାର ମାତ୍ରା ସେଥିରେ ଯେତେ ନ ଥିଲା ସେତେ ଥିଲା ଆନନ୍ଦ ଏବଂ ଉତ୍ସାହ ।

 

ବୋଧହୁଏ ସେଇଠି ଆମର ରାତି ପାହିଥାନ୍ତା । କାରଣ ଆମେ ଆଫଗାନର ଜୀବନର ଏକ ବିରାଟ ଘୂର୍ଣ୍ଣି ଭିତରେ ପ୍ରବେଶ କରିଯାଇଛୁ । ଏ ଜୀବନ ଖୁବ୍ ସମ୍ଭ୍ରାନ୍ତ ଧନାଢ଼୍ୟ ଜୀବନର ପରିପାଟିରେ ଭରି ନ ଥିଲା । ଆଫଗାନ ଶ୍ରମିକ ବା ସାଧାରଣ ନାଗରିକ ସେସବୁର ପାଖ ପଶିବା ଭଳି ସୁଯୋଗ ପାଇ ନାହିଁ । ତେଣୁ ତାର ସଂସ୍କୃତି ଭିତରେ ମଧ୍ୟ ସେସବୁ ନାହିଁ ତେଣୁ ଏହା ଆମପ୍ରତି ହାନିକାର ଏବଂ ରୁଚି ବିରୋଧୀ ନଥିଲା ।

 

କହିବାକୁ ଭୁଲିଯାଇଛି ଏ ଭିତରେ ଆମ୍ଭେମାନେ ଆମର ଦୁଇଟଙ୍କିଆ ନୋଟ୍ ଚାହା ଦୋକାନର ମାଲିକ ହାତକୁ ବାଢ଼ାଇ ଦେଇଥିଲୁ । ଏହା ଦେବୁକି ନାହିଁ ତାହା ପାଇଁ ଆମକୁ କମ୍ ଆଲୋଚନା କରିବାକୁ ପଡ଼ିନାହିଁ । ତଥାପି ଆମେ କହିଲୁ ଏ ଦୁଇଟି ନୋଟ୍ ଆମର ଆଫଗାନିସ୍ଥାନ ଆସିଥିବାର ସ୍ମାରକରୂପେ ରଖନ୍ତୁ । ସେମାନଙ୍କ ଭିତରେ ତୁମୁଳ ହର୍ଷରୋଳ ଉଠିଲା କାରଣ ଭାରତୀୟ ମୁଦ୍ରାର ଖାତିରି ଆଫଗାନିସ୍ଥାରେ ଅତ୍ୟନ୍ତ ଅଧିକ । ଏକ୍ସଚେଞ୍ଜ ରେଟ୍‍ରୁ ଆହୁରି ଅଧିକ ଆଫଗାନ ମୁଦ୍ରାଦେଇ ମଧ୍ୟ ସେମାନେ ଭାରତୀୟ ମୁଦ୍ରା ନେବାକୁ ଚାହାନ୍ତି । ବିଶେଷତଃ ପାକିସ୍ତାନ ସହିତ କଳହ ହେଲାପରେ ଭାରତ ହିଁ ଆଫଗାନିସ୍ଥାନର ବାଣିଜ୍ୟର ଏକମାତ୍ର ଅବଲମ୍ବନ କହିଲେ ଚଳେ । ତେଣୁ ସେମାନଙ୍କର ଆମଠାରୁ କିଛି ନ ନେବାର ଇଚ୍ଛାଥିଲେ ମଧ୍ୟ ଭାରତୀୟ ଦୁଇ ଦୁଇଟା ନୋଟ୍‍ର ଲୋଭ ସେମାନେ ସମ୍ବରଣ କରିପାରିଲେ ନାହିଁ । ଆଫଗାନିସ୍ଥାନ ଗଲାବେଳେ ଭାରତୀୟ ପଚାଶ ଟଙ୍କାରୁ ଅଧିକ ନେବାର ଯେଉଁ କଟକଣା ଅଛି ତାହାର କାରଣ ଏଇଠି ଆମେ ଜାଣିପାରିଲୁ ।

 

ସେଇଠି ଆମର ରାତି ପାହିଥାଆନ୍ତା କିନ୍ତୁ ଆମକୁ ଖୋଜି ଖୋଜି ହୋଟେଲ ମ୍ୟାନେଜର ସେଠି ହାଜର ହେଲେ । ଆମ୍ଭେମାନେ ବୋଡ଼ିଙ୍ଗକୁ ବିନା ଅନୁମତିରେ ରାତିରେ ବାହାରକୁ ଯାଇଥିବା ଅପରାଧୀ ଛାତ୍ରଭଳି ନିଜକୁ ଅପରାଧୀ ମନେକଲୁ । ତାଙ୍କର ସେତେବେଳକୁ ପିଣ୍ଡରେ ଆଉ ପ୍ରାଣ ନାହିଁ । "ଆଫଗାନିସ୍ଥାନ ସରକାରୀ ହୋଟେଲରୁ ଦୁଇଜଣ ଭାରତୀୟ ରାତିରେ ନିଦରେ ଶୋଇ ସାରିବାପରେ ସେମାନଙ୍କ ବିଛଣାରୁ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ତାପରେ ସେମାନଙ୍କ ମୃତଦେହ ଉସମାନ ବଜାରର ନଇନଯୋଡ଼ିରେ ପଡ଼ିଥିବାର ଦେଖାଗଲା । "ଏଭଳି ଯଦି ଗୋଟାଏ ଖବର ଦୁଇଦିନ ପରେ ପୃଥିବୀର ଖବରକାଗଜମାନଙ୍କରେ ବାହାରେ ତେବେ ମ୍ୟାନେଜର ବିଚରାଙ୍କର ଦଫା ରଫା ହୋଇଯାଆନ୍ତା ।

 

ଆମେରିକାର ସିନେମା ଏବଂ ଅପରାଧୀ ପୋଥି ପଢ଼ି ପଢ଼ି ତାଙ୍କର ମୁଣ୍ଡରେ ଏପରି ସବୁ ପାପ ଛୁଇଁଛି ଯେ ସେ ଯେତେବେଳେ ଦରୱାନଠାରୁ ଶୁଣିଲେ ଆମ୍ଭେମାନେ ତାର ବାରଣ ନ ମାନି ବାହାରି ଯାଇଛୁ, ସେତେବେଳେ ଧାରଣା କରିନେଲେ ଯେ ଆମ୍ଭେମାନେ ଗୋଟାଏ କୌଣସି ଭୀଷଣ ଦଙ୍ଗାହଙ୍ଗାମାରେ ପଡ଼ିଯାଇଛୁ ଏବଂ ତାହା ଫଳରେ ଭୟଙ୍କର ଆନ୍ତର୍ଜାତିକ ପ୍ରତିକ୍ରିୟା ଘଟିଯାଇପାରେ । ଏହି ପ୍ରକାର ତାଙ୍କର କଳ୍ପନାକୁ ଖୋରାକ ଯୋଗାଇଲା ଆମ୍ଭଦୁହିଙ୍କର ବେଶଭୂଷା ଏବଂ ରୂପ । କହିବାକୁ ଭୁଲି ଯାଇଥିଲି ଯେ ଦିଲ୍ଲୀର ଅସହ୍ୟ ଗରମରେ ଆମ୍ଭ ଦୁହିଁଙ୍କ ମୁହଁରେ ଗୁଡ଼ାଏ ବ୍ରଣ ବାହାରିଥିଲା । ତାଙ୍କର କପାଳରେ ଆଉ ମୋର ନାକ ଉପରେ । ତେଣୁ ଆମେ ଦୁହେଁ କାବୁଲରେ ମଧ୍ୟ ଔଷଧ ଲଗାଇ ଯୋଡ଼ାଏ ପଟି ବାନ୍ଧିଥିଲୁ । ସେହି ପଟିଯୋଡ଼ିକ କୌଣସି ମାଡ଼ପିଟିରେ ଯୋଗଦେଇ ଫେରିଥିବା ଦୁଇଜଣ ଲୋକଙ୍କର କ୍ଷତସ୍ଥାନର ପଟିପରି ଦିଶୁଥିଲା । ମ୍ୟାନେଜର ଆମ୍ଭମାନଙ୍କୁ ସେହି ଚାହା ଦୋକାନରେ ଠାବକରି ଆମ୍ଭମାନଙ୍କର ମୁଣ୍ଡରେ ଭିଡ଼ା ହୋଇଥିବା ପଟିର ହେତୁ ପଚାରିଲେ । ଆମ୍ଭେମାନେ ତାଙ୍କର ତଟସ୍ଥ ଭାବ ଦେଖି ହସି ହସି ବେଦମ ହେଲୁ ।

 

ତାପର ଦିନ ଶୁଖିଲା ଏବଂ ପିପାସିତ କାବୁଲର ଯତ୍ନରଖିତ ଶ୍ୟାମଳ ଅପ୍ରଶସ୍ତ ଉପତ୍ୟକା ଛାଡ଼ି ଆମ୍ଭେମାନେ ସୋଭିଏତ୍‍ ଦେଶର ଉଡ଼ାଜାହାଜରେ ପଶ୍ଚିମ ଅଭିମୁଖରେ ବାହାରିଲୁ । ଆଗରେ ହିନ୍ଦୁକୁଶର ପଚିଶି ହଜାର ଫୁଟ୍ ଶୃଙ୍ଗମାଳା । ଏହାକୁ ପାରହେଲେ ହିନ୍ଦୁକୁଶର ସେପାରିରେ ଆମୁଦରିଆ ନଦୀକୁ ଆମ୍ଭେମାନେ ଭେଟିବୁ । ଆମୁଦରିଆ ହିଁ ଆଫଗାନିସ୍ଥାନ ଏବଂ ତାଜକିସ୍ଥାନର ସୀମା ।

 

କେବଳ ଦୁଇଟା ଭୂଗୋଳର ସୀମା ନୁହେଁ । ଇତିହାସର ଏବଂ ଯୁଗର ଦୁଇଟା ସୀମା । ସେହି ନୂତନ ଇତିହାସ ଗଢ଼ୁଥିବା ଦେଶର ପ୍ରତୀକ୍ଷାରେ ଆମ୍ଭେମାନେ ବାହାରିଲୁ । କିନ୍ତୁ କାଳ ପରେ ହିନ୍ଦୁକୁଶ ଆମକୁ ବାଟ ଜଗିଲା । ଏହାକୁ ଡେଇଁ ଯିବାକୁ ପଡ଼ିବ । ଏହାର ଉଚ୍ଚଶୃଙ୍ଗ ଉପରେ ଯେଉଁ ପବନ ଆମ ନାକରେ ବାଜିବ ସେଥିରେ ଆମର ଜୀବନ ରଖିବା କଷ୍ଟ । ସେ ପବନ ଏଡ଼େ ପତଳା । ଉଡ଼ାଜାହାଜର ପରିଚର୍ଯ୍ୟାକାରୀଣି ଆମ୍ଭମାନଙ୍କର ପ୍ରତ୍ୟେକଙ୍କର ନାକରେ ଅକ୍ସିଜେନ ଟିଉବ୍ ଲଗାଇ ଦେଲେ । ପ୍ରାୟ ଦେଢ଼ଘଣ୍ଟା କାଳ ବରଫର ଶେଯ ଏବଂ ତାହାର ବହୁତ ତଳେ ଘନପୁଞ୍ଜ ମେଘକୁ ରଖି ଖାଲି ଶ୍ୱେତ ବରଫର ସାଗର ଉପରେ ଭାସମାନ ପୋତପରି ଆମରି ଉଡ଼ାଜାହାଜ ଗତି କରିବାରେ ଲାଗିଲା ।

 

ଏହି ମହାଶୂନ୍ୟ ପଥରେ ନାକରେ ଅଦ୍ଭୁତ ମୁଖା ପିନ୍ଧି ଆମେ ଯାତ୍ରୀ ଏବଂ ବିମାନ ରକ୍ଷକ ରକ୍ଷିକା ଇତ୍ୟାଦି ମିଶି ପ୍ରାୟ ପନ୍ଦର ଜଣ ।

***